STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଜ୍ଞାନ ଦିଅ ପ୍ରଭୁ

ଜ୍ଞାନ ଦିଅ ପ୍ରଭୁ

1 min
520

ତୁମେ ନିରାକାର ସବୁ ନୀଳା ତୁମ

  କ୍ଷୀରଦା ସମୁଦ୍ରେ ତୁମେ,

କୃଷ୍ଣ ନାମ ଗୁଞ୍ଜେ ମଥୁରା କ୍ଷେତ୍ରରେ

  ବୃନ୍ଦାବନେ କୃଷ୍ଣ ନାମେ।


ଅଯୋଧ୍ୟା ଭୂମିରେ ରାମନାମ ଗୁଞ୍ଜେ

   ମର୍ଯ୍ୟାଦା ପୁରୁଷ ରାମ,

ପୁରୀ କ୍ଷେତ୍ରେ ଗୁଞ୍ଜେ ଜଗନ୍ନାଥ ନାମ

   ତୁମରି ସବୁତ ନାମ।


ନାମ କୃପାସିନ୍ଧୁ ବହିଛ ହେ ପ୍ରଭୁ

   ନାମେ ଚକ୍ରଧାରୀ ତୁମେ,

ନାରାୟଣ ନାମ ଗୁଞ୍ଜେ ବ୍ରହ୍ମାଣ୍ଡରେ

   ପ୍ରଭୁ ଗିରିଧାରୀ ନାମେ।


ବହୁ ନାମ ତୁମ ଜଗତ ଠାକୁର

   ଜ୍ଞାନ ଦିଅ ହୃଦେ ଭରି,

କେଉଁ ନାମ ଧରି ଡାକିବି ହେ ନାଥ

  କହି ଦିଅ ଭଲ କରି।


କଳିଯୁଗ ଏହୁ କଳିର ତାଣ୍ଡବ

  ଭ୍ରମିତ ହୁଏଟି ମନ,

ପାପ କର୍ମ ଏଠି ହୁଏ ନିରନ୍ତର

  ଅସ୍ଥିର ହେଉଛି ମନ,


ଧନ ପଛେ ଧାଏଁ ଜନ ଅହରହ

  କରୁଅଛି ହୀନ କର୍ମ,

ସତ୍ୟ ବାଟ ଛାଡି ଅସତ୍ୟର ବାଟେ

  ହେଉ ଅଛି ତାର କର୍ମ।


ହିଂସା କପଟରେ ପୁରିଛି ସଂସାର

  ପରହିଂସା ଦିନରାତ୍ରୀ,

ସତ୍ତା ଲାଭ ପାଇଁ ଦେଶର ବିରୋଧ

  କରୁଛନ୍ତି ଦିନରାତ୍ରୀ।


ନିରୀହ ଜନଙ୍କୁ ଠକୁଛନ୍ତି ନେତା

  ବିଭିନ୍ନ ତାଣ୍ଡବ କରି,

ନିଜ ସ୍ବାର୍ଥ ପାଇଁ ଠକିବାର କାର୍ଯ୍ୟ

  ଦେଖ ପ୍ରଭୁ ଚକ୍ଷୁ ଡେରି।


କଳିଯୁଗ ରୀତି ନପଡୁ ହୃଦୟେ

  ତବନାମ ଭଜୁ ଥିବି,

କେଉଁ ନାମ ହେବ ଜପମାଳି ମୋର

   ନାମମନ୍ତ୍ର ଜପୁ ଥିବି।


କୃଷ୍ଣ ରାମ ନାମ ଭଜୁ ଅଛି ନିତ୍ୟେ

  ଭଜୁ ଅଛି ଜଗନ୍ନାଥ,

ଅନୁଗ୍ରହ କର ଜଗତ ଠାକୁର

  ହେଉ ଜପମାଳି ପଥ।


ଦିଅ ସତ୍ୟପଥ ପ୍ରଭୁ ନିରାକର

  ଧର୍ମ ବାଟେ ନିଅ ମତେ,

ସମଭାବ ରହୁ ଗୃହର ପାଳନେ

  ରାଷ୍ଟ୍ର ଭକ୍ତି ଦିଅ ମତେ।


ଜନସେବ ପାଇଁ ରହୁ ମନ ପ୍ରାଣ

  ଗୁରୁଜନଙ୍କୁ ମୋ ଭକ୍ତି,

ପିତୃମାତୃ ସେବା ହେଉଟି ଚନ୍ଦନ

  ରହୁ ମାତୃଭାଷା ଶକ୍ତି।


କହି ଦିଅ ନାମ ପ୍ରଭୁ ଦୟାନିଧି

  କରିବି ମୁଁ ଜପମାଳି,

ଏ ଜୀବନ ମୁହିଁ ଅର୍ପଣ କରିଛି

  ପ୍ରେମ ଭକ୍ତି ଶ୍ରଦ୍ଧା ବୋଳି।


Rate this content
Log in

Similar oriya poem from Abstract