ଜନନୀ
ଜନନୀ
ପ୍ରସବ ବେଦନା ଭୁଲି ଯେ ସେନେହେ
ଦିଏ ତା' ବକ୍ଷରୁ କ୍ଷୀର
ଉପବାସେ ରହି ଦିଏ ଯେ ଆହାର
ସେ ଅଟେ ଜନନୀ ମୋର ।
ପିଲାବେଳେ ମୋର ହାତ ଧରି ସିଏ
ଶିଖାଇଲା ବାଟ ଚାଲି
ନିଦ ନ ମାଡ଼ିଲେ କୋଳେ ଧରି ମୋତେ
ଶୋଇଦିଏ ଗୀତ ବୋଲି ।
ଅସୁସ୍ଥ ଥିଲେ ମୁଁ ଭଲ କରେ ମୋତେ
ଦିନରାତି ସିଏ ଲାଗି
ଭୋକେ ରହି ମୋର ଫେରିବା ବାଟକୁ
ବସିଥାଏ ନିତି ଜଗି ।
ଅଳି ଅଝଟ ମୁଁ କରି ପିଲାବେଳେ
ଖାଏ ନାହିଁ ଯେବେ ୠଷି
ମୁଣ୍ଡକୁ ଆଉଁସି ବୁଝାଇ ଦିଏସେ
ଖୋଇ ଦିଏ ପାଖେ ବସି ।
ଶ୍ରୀମନ୍ଦିର ନେତ ଭଳି ତା' ପଣତ
ବିପଦକୁ କରେ ଛିନ୍ନ
ହାତ ରନ୍ଧା ତା'ର ଭାରି ସୁଆଦିଆ
ସତେକି ଅବଢ଼ା ଅନ୍ନ ।
ନିଜ ପିଲା ମଧ୍ୟେ ପାତର ଅନ୍ତର
କରେନା କଦାପି ସିଏ
ଦରିଦ୍ର ହେଉ ବା ହେଇଥାଉ ଧନୀ
ସଭିଙ୍କୁ ସେ ଭଲପାଏ ।
ତା' ମନରେ ଦୁଃଖ ଦେଲେ ସନ୍ତାନଟି
ଦିଏନି କଦାପି ଗାଳି
ନିଜେ ଜଳି ସଦା ଆଲୋକ ଦିଏ ସେ
ଦୀପର ସଳିତା ପରି ।
ତୀର୍ଥ ଜଳ ସ୍ନାନେ ଦିଅଁ ଦରଶନେ
ନଥାଏ ଯେତିକି ପୂଣ୍ୟ
ଜନନୀ ସେବାରେ ଲୟ ରଖେ ଯିଏ
ହୁଏ ତା' ଜୀବନ ଧନ୍ୟ ।
ପୁଅ ଝିଅ ନିଜ ଜନନୀକୁ କେବେ
କର ନାହିଁ ହତାଦର
ଭଲେ ରହିବନି ଜନନୀ ଆଖିରୁ
ବୋହିଲେ ଲୋତକ ଧାର ।
ଜନନୀ ଆଶିଷ ଥିବା ଯାଏଁ ସାଥେ
ଛୁଏଁନି କଦାପି ଝଡ଼
ଭୁଲିବିନି କେବେ ଜନନୀକୁ ମୋର
ସେ ପରା ସ୍ୱର୍ଗଠୁ ବଡ଼ ।
