ଜଣେ ଆତ୍ମୀୟଙ୍କୁ ପଦେ
ଜଣେ ଆତ୍ମୀୟଙ୍କୁ ପଦେ
ମୁଁ କ'ଣ ବା ମାଗିଥିଲି ତୁମକୁ !
ମାଗିଥିଲି ଦିନକୁ ମୁଠେ ଭାତ
ରାତି ପାଇଁ ଗୋଟେ ସ୍ବପ୍ନ
ବେଶୀ କ'ଣ ମାଗିଦେଲି କି
ଫେରେଇ ଦେଲ ମୋତେ
କଟୁକଥା କହି....!
ଅଳ୍ପକେ ସନ୍ତୁଷ୍ଟ ମଣିଷ ମୁଁ
ବଢେଇଥିଲି କି ଆକାଶକୁ ହାତ !
ଚାହିଁଥିଲି କି ଉଡିବାକୁ ଛିଟ ଛାୟାପଥ !
ଯାଚନା କରିଥିଲି ତ ମାତ୍ର
ତୁମ ଉତ୍ତରଣ ଖଣ୍ଡେ
ଯାହା ମୋତେ ହେଲାନି ପ୍ରାପତ
ମୁଁ କ'ଣ ବସେଇଥିଲି
ତୁମେ ହାତେଇଥିବା ସମ୍ପତ୍ତିରେ ଭାଗ !
କୁହ ତେବେ
ତଥାପି କାହିଁକି ଏତେ ରାଗ...!
ମାଗିଥିଲି ତ ଆଲୁଅ ପାଇଁ ଆଞ୍ଜୁଳାଏ ଖରା
ରାତି ଅନ୍ଧକାର ପାଇଁ ପୁଞ୍ଜିଏ ତାରା
କୋମଳ ଜୋଛନା ପରି ତୁମ ଦରଦୀ ମନ
ବେଶୀ କ'ଣ ମାଗିଦେଲି ଯେ
ଚାଲିଗଲ ମୁହଁ ଫେରାଇ
ସଦର ଦରଜା ବନ୍ଦ କରିଦେଇ ।
ତଥାପି, ମୁଁ ମୋର ଇଶ୍ଵର ଦତ୍ତ
ସୀମାରେଖାରେ ଠିଆ ହୋଇ
ପ୍ରାର୍ଥନା କରୁଛି
ତୁମକୁ ସବୁ ସୁଖ ମିଳୁ
ତୁମର ମଙ୍ଗଳ ହେଉ,
କେଉଁ ଷଡ଼ଯନ୍ତ୍ରରେ ନାହିଁ
ମୋର ଏତିକି ମାଗୁଣି
ଚାହୁଁଛି ଅନ୍ତଃକରଣରେ
ତୁମଠି ସଦବୁଦ୍ଧି ଜାଗ୍ରତ ହେଉ...।।
