STORYMIRROR

sudarsan mahapatra

Classics

4  

sudarsan mahapatra

Classics

ସ୍ବାଧୀନତା

ସ୍ବାଧୀନତା

1 min
294


ସ୍ବାଧୀନ ଏ ଦେଶ ଆଜି ଭୋଗେ ବିଡମ୍ବନା

ଗଣତନ୍ତ୍ରେ ଗଣ ସହେ ଲାଞ୍ଛନା ଯାତନା,

ନୈତିକତାହୀନ ଲାଗେ ଜୀବନ ଦର୍ଶନ

ମାନବବାଦର ସଂଜ୍ଞା ସତେ ମୂଲ୍ୟହୀନ ।।

ମହାତ୍ମାଙ୍କ ରାମରାଜ୍ୟ ସ୍ବପ୍ନ ପରାହତ

ରିକ୍ତ ଏବେ ଅନୁପମ ମୋ ଦେଶ ଭାରତ,

ଛଦ୍ମବେଶୀ ଗଣତନ୍ତ୍ରେ ନାହିଁ ପ୍ରୀତି ମୈତ୍ରୀ

ହିଂସା ଦ୍ୱେଷେ ମର୍ମାହତ ଏଇ ପୂଣ୍ୟ ମାଟି ।।

ନୈତିକତା ନାହିଁ ଆଜି ଭରିଛି କ୍ରୁରତା

ଲୁପ୍ତ ଆଜି ମୂଲ୍ୟବୋଧ ଆଚାର ସଂହିତା,

ଅନ୍ୟାୟକୁ ନୀତି କରି ଶାସକ ବଳିଷ୍ଠ

ସ୍ବାଧୀନତା ଲାଗେ ଆଜି ସତେ ଦିଗଭ୍ରଷ୍ଟ ।।

କେତେ ମିଛ ଇସ୍ତାହାର ମିଛ ସମ୍ଭାଷଣ

ସୈତାନଙ୍କ ପାଇଁ ତୋଷାମଦ ସ୍ତୋତ୍ରଗାନ,

ମିଥ୍ୟାଚାର ଭରା ଆଜି ଲାଗେ ପରା ତନ୍ତ୍ର

ମୂଲ୍ୟହୀନ ସତ୍ୟ ଶାନ୍ତି ଅହିଂସାର ମନ୍ତ୍ର ।।

ନାରୀ ଆଜି ନିର୍ଯ୍ୟାତିତା ଇଜ୍ଜତ ଲୁଣ୍ଠିତ

ଦୁର୍ମତିଙ୍କ ଚକ୍ରାନ୍ତରେ ଏ ଦେଶ ଲଜ୍ଜିତ,

ଅବିଶ୍ବାସ ଅନାଚାରେ ଅତିଷ୍ଠ ପରାଣ

ମାନବୀୟ ମହାଧର୍ମ ଲାଗେ ଅକାରଣ ।।

ସତ୍ୟାଗ୍ରହେ ଅନୁରାଗ ଅଲୋଡା ବୃତ୍ତାନ୍ତ

ସିଂହାସନ ଆରୋହଣେ ନେତା ମଦମତ୍ତ,

ସତେ କିବା ସଇତାନ ହୋଇଛି ସବାର

ନିର୍ଦ୍ବନ୍ଦ୍ବରେ ଖେଳୁଛନ୍ତି ହୋଲି ରକତର ।।

ଦୁର୍ନୀତିର ଦୁର୍ଗ ତଳେ ଆଶ୍ରିତ ପ୍ରଗତି

ମାଟି ମା' ଭୋଗକରେ ଅଶେଷ ଦୁର୍ଗତି,

ଜାତି ଧର୍ମ ରାଜନୀତି ନଗ୍ନ ବାସ୍ତବତା

ଅର୍ଥହୀନ ଲାଗେ ତେଣୁ ଲବ୍ଧ ସ୍ବାଧୀନତା ।।



Rate this content
Log in

Similar oriya poem from Classics