STORYMIRROR

sudarsan mahapatra

Others

3  

sudarsan mahapatra

Others

ମାଟି ମହକ

ମାଟି ମହକ

1 min
169

ଚିରି ଦିଅ ପଛେ ଛାତିକୁ ତାହାର

ବହିଯାଉ ଲୁହ ଲହୁ 

ଆଗ୍ନେୟାସ୍ତ୍ରରେ ଜଳୁପଛେ ଦେହ

କହିବନି କେବେ 'ଉହୁ' ।।


ଲଙ୍ଗଳ ମୁନରେ କାଟିଦିଅ ଶିରା

ସହିଯିବ ନୀରବରେ 

ଡିନାମାଇଟରେ ଫଟାଅ ତା ଗର୍ଭ

ଫିଟିବନି ପାଟି ଥରେ ।।


ସିଏ ପରା ମାଟି ସହେ ନିର୍ବିକାରେ

କେତେ ଯେ ଅଳି ଅର୍ଦ୍ଦଳି

ଅମାପ ଐଶ୍ୱର୍ଯ୍ୟ ଆମ ଖୁସି ପାଇଁ

ଦେଇଛି ସେ ଜଳାଞ୍ଜଳି ।।


ମାଟିର ମହକ ସ୍ନିଗଧ ସତେଜ

ମନେ ଭରେ ମାଦକତା

ମାଟି ସୁଖ ପାଇଁ ଚିର ଆକାଂକ୍ଷିତ

ଦେବ ନର ବନଲତା ।।


ମାଟି ମାଆ ପରା ସୁନା କେଣ୍ଡା ଧରି

କ୍ଷେତରେ କ୍ଷେତରେ ହସେ

ତା ପାଇଁକି ମେଘ ଭରା ଆକାଶଟା

ଉଲ୍ଲସେ ଓହ୍ଲାଇ ଆସେ ।।


ମାଟି ଯାଚିଦିଏ ଜୀବନ ଜୀବିକା

ନିଜେ ହୋଇ ନିଃଶେଷିତ

ସନ୍ତାନ ଓଠରେ ହସ ପାରିଜାତ

ଫୁଟିଲେ ସେ ପୁଲକିତ ।।


ଏଇ ମାଟି ଦେହେ କୁଳୁକୁଳୁ ବହେ

ସ୍ୱଚ୍ଛ ମନ୍ଦାକିନୀ ଧାରା

ତା ପାଇଁ କି ଜଳେ ଜୀବନ ପ୍ରଦୀପ

ତା କୋଳ ଶେଷ ଆଶରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍