ଜନ୍ମାଷ୍ଟମୀ
ଜନ୍ମାଷ୍ଟମୀ
ଗର୍ବ ଅହଂକାର ପାପର ଦୈାରାତ୍ମ୍ୟ
ଯେବେ ଯେବେ ବଢ଼ିଥାଏ
ଧର୍ମ ସଂସ୍ଥାପନା ପାଇଁ ପ୍ରଭୁଙ୍କର
ଧରାପୃଷ୍ଠେ ଜନ୍ମ ହୁଏ।
ମଥୁରାପୁରରେ ଉଗ୍ରସେନ ପୁତ୍ର
କଂସର ଅନ୍ୟାୟ ପାଇଁ
ଦେବକୀ ଗର୍ଭରୁ କୃଷ୍ଣ ଜନ୍ମ ହେବେ
ଅଷ୍ଟମ ସନ୍ତାନ ହୋଇ।
ଶୂନ୍ୟ ବାଣୀ ହେଲା କଂସ ସମ୍ମୁଖରେ
ଆଶ୍ଚର୍ଯ୍ୟ ହୋଇଲା ସେହି
ଭଣଜା କୃଷ୍ଣର ବିନାଶ ପାଇଁ କି
ଉପାୟ ଖୋଜିଲା ଯହିଁ।
ଦେବକୀ ବସୁଦେବ ଭଉଣୀ ଭିଣୋଇ
ସମ୍ପର୍କ ରହିଲା ନାହିଁ
ନିଜ ଜୀବନର ସୁରକ୍ଷା ପାଇଁ କି
ବନ୍ଦୀ କରିଲା ଯେ ସେହି।
ସୁଯୋଗ ଖୋଜଇ ପ୍ରତି ମୁହୂର୍ତ୍ତରେ
କୃଷ୍ଣଙ୍କର ହତ୍ୟା ପାଇଁ
ଵନ୍ଦୀଶାଳେ ରଖି ନିଜ ଭଗିନୀକୁ
ନଜର ବନ୍ଦୀରେ ରହି।
ଭାଦ୍ରବ ମାସର ଅଷ୍ଟମୀ ତିଥିରେ
ଅଷ୍ଟମ ସନ୍ତାନ ଭାବେ
ନିଶା ରାତ୍ର ମଧ୍ୟେ ଘଡଘଡି ଶଦ୍ଦେ
କୃଷ୍ଣ ଜନ୍ମ ଧରାପୃଷ୍ଠେ।
ପିତା ବସୁଦେବ ମାତା ଯେ ଦେବକୀ
କୋଳକୁ କଲେ ମଣ୍ଡନ
ସ୍ୱୟଂ ପ୍ରଭୁଙ୍କୁ ସେ ପୁତ୍ର ରୂପେ ପାଇ
ଜୀବନ ହୋଇଲା ଧନ୍ୟ।
ତଥାପି ମନରେ ଭୟ ଥିଲା ତାଙ୍କ
ପୁତ୍ରର ସୁରକ୍ଷା ପାଇଁ
ଅଧରାତ୍ର ମଧ୍ୟେ ବାହାରି ଗଲେ ସେ
ଗୋପପୁର ଯିବା ପାଇଁ।
ବର୍ଷା ପଵନକୁ ଖାତିର ନକରି
କୃଷ୍ଣଙ୍କୁ ସଙ୍ଗରେ ନେଇ
ଉଛୁଳା ଯମୁନା ନଦୀର ଜଳରେ
ପ୍ରଭୁପାଦ ଧୋଇ ଦେଇ।
ସପ୍ତଫେଣୀ ନାଗର ଛତ୍ରଛାୟା ତଳେ
କୃଷ୍ଣ ଆଜି ସୁରକ୍ଷିତ
ପ୍ରଭୁଙ୍କ ପଦ ଧୋଇ ଦେଇ ଯମୁନା
ଯୋଡ଼ି ଦେଲେ ଦୁଇ ହସ୍ତ।
ବହୁ ବାଧାବିଘ୍ନ ସତ୍ତ୍ଵେ ବସୁଦେବ
ଗୋପପୁର ପହଞ୍ଚିଲେ
ଯଶୋଦା କୋଳରେ କୃଷ୍ଣଙ୍କୁ ରଖିଣ
ମଥୁରାକୁ ଫେରିଗଲେ।
କୃଷ୍ଣଙ୍କୁ ଦେଖିଣ ଗୋପପୁର ବାସୀ
ହୋଇଣ ଆନନ୍ଦ ମନେ
ପ୍ରଭୁ ଆସିଛନ୍ତି ପାପକୁ ନାଶିଵେ
ପ୍ରଣମୁଛି ପାଦପଦ୍ମେ।
