ଜନ୍ମ ମାଟି
ଜନ୍ମ ମାଟି
ଏଇଠି ପାଇଛୁ ପହିଲି ପରସ
ସ୍ନେହରୁ ଆଦର ଯେତେ,
ତୁମରି କୋଳରେ ଜନମ ଆମରି
ଆଶାର ଆଲୋକ କେତେ।
ଟିକିଟିକି ଆମେ ରସବାସ ଭରା
ମନରେ ପୁଲକ ଭରି,
ନିଇତି ଫୁଟୁଛୁ ତୁମ ଅଗଣାରେ
ବିଶ୍ଵାସ ଅନେକ ଧରି।
ଧରାତଳେ ସବୁ ଆନନ୍ଦ ଉଲ୍ଲାସ
ଏମିତି ଝରାଏ ରସ,
ତୁମରି ନାମରେ ପରିଚୟ ପାଉ
ଆରମ୍ଭରୁ ପୁଣି ଶେଷ।
ଆକାଶରୁ ମାଟି କେତେଯେ ଗଭୀର
ସହିଛ ସବୁରି ଅଳି,
କରମେ କରମ ନୂଆଭାଗ ଯୋଡ଼ି
ଦେଇଛ ଭରସା ଢାଳି।
ଛାଇପରି ରହି ସାଥିରେ ଯେମିତି
ହାତକୁ ଦେଇଛ ଛନ୍ଦି,
କେତେ ଅପରୂପ ରୂପରୁ କଳ୍ପିତ
ହୃଦୟ ନେଇଛି ବାନ୍ଧି।
ପ୍ରତିକ୍ଷଣ ପଥେ ଫୁଲର ସମ୍ଭାର
ଭୁଲାଇ ଦେଇଛି ଦୁଃଖ,
ଅଙ୍ଗେ ଅଙ୍ଗେ ପ୍ରାଣ ସୁବାସିତମୟ
ସତେକି ରାଇଜ ସୁଖ।
ସପନ ଗୋପନ ସବୁତ ତୁମରି
ସୁନ୍ଦର ଆଦର୍ଶ ପଥ,
ସ୍ମୃତି ସବୁତକ ହୃଦୟ ଦୂଆରେ
ଆହୁଲା ମାରୁଛି କାତ।
ଚିହ୍ନାଚିହ୍ନା ଆଜି ପ୍ରତିଟି ମୂହୁର୍ତ୍ତ
ମିଳନେ ଭାବର ନଈ,
ଜୀବନ ଜୀବିକା ସମତୁଲ ପ୍ରାୟ
ରଙ୍ଗର ତୁଳନା ନାହିଁ ।
ଦିନ ପରେ ଦିନ ଗଢ଼ିଛ ଏମିତି
ହଜେଇ ଦେଇଛ ଦାଗ,
ସବୁ ସମ୍ପର୍କର ର ଅତୁଟ ବନ୍ଧନ
ପ୍ରିତିର ଅଭୁଲା ରାଗ।
ଇତିହାସ କହେ ଯେତକ ମରମ
ବେଦନା ତଳର ଆଶା,
ଭାବରଙ୍ଗ ତୁମ ଅସରନ୍ତି ସୁଖ
ପ୍ରେମର ପ୍ରଥମ ଭାଷା।
