ଜନ୍ମ ଦିନ
ଜନ୍ମ ଦିନ
ଶୁଭେଚ୍ଛା ଆଶୀଷ ଅନେକ ଆସେ ଯେ
ଲାଗେ ପରା କେତେ ଖୁସି,
ସଭିଙ୍କ ଆଶୀଷ ମିଳିଲେ ଜଗତେ
ଜୀଇଁ ଯିବା ଦିବା ନିଶି ।।
ନବ ଉନ୍ମାଦନା ଉତ୍ସାହ ଉଲ୍ଲାସ
ମନେ ଜାଗେ ଯେ ଆନନ୍ଦ,
ଜନମ ଦିନରେ କାଳିଆ ପାଖରେ
ଗୁହାରୀ ରହେ ନିଶ୍ଚିତ ।।
ସମୟର ସୀମା, ନୁହେଁ ଯେ ଅସୀମ
ସମୟ ଯୋଡେ ଓ ଫେଡେ,
ସବୁଇଛା ତକ ପୂର୍ଣ୍ଣ ହେଉ ବୋଲି
ଠାକୁରଙ୍କୁ ହାତ ଯୋଡେ ।।
ବନ୍ଧୁ ବାନ୍ଧବ କି ସାଙ୍ଗ ସାଥିମେଳେ
ଶୁଭେଚ୍ଛା ବାରତା ଦେବା,
ଜୀବନେ ସପନେ ସଫଳତା ମିଳୁ
ଅଭିନନ୍ଦନ କରିବା ।।
ଜନମ ଦିନରେ ବନ୍ଧୁଟିଏ ଲାଗେ
ଭଗବାନଙ୍କର ଦୂତ,
ସବୁ ସମ୍ପର୍କ ଠୁ ଭିନ୍ନ ଏ ସଂପର୍କ
ହେଉଥାଏ ମଜଭୁତ।।
ଛୋଟ ଶିଶୁ ଟିଏ ଭାରି ଖୁସି ହୁଏ
ଦେଖିଦେଲେ ଉପହାର,
ସତେ ତା'ର ଆଖି ଖୋଜୁ ଥିଲା କିଛି
ସ୍ନେହ ପ୍ରେମ ଆଦରର ।।
ସଭିଙ୍କର ସ୍ନେହ ପ୍ରେମର ଆଦର
ପାଇଲେ ଲାଗଇ ଧନ୍ୟ,
ନୀଳ ଆକାଶରେ ଡେଣା ମେଲି ଉଡେ
ସତେ ଅବା କେତେ ପୂଣ୍ୟ ।।
ବନ୍ଧୁଟିକୁ ଲୋଡା ଦୁଇପଦ କଥା,
"ମୋ ତରଫୁ ଏ ଶୁଭେଚ୍ଛା,
ଚଲାପଥ ଭରିଯାଉ ଯେ ଖୁସିରେ
ଦୁଃଖ ନଆସୁ ମୋ ଇଛା" ।।
ଈଶ୍ବରଙ୍କ ହାତ ରହିଥାଉ ସଦା
କଟୁ ସବୁ ଯେ ବିପଦ,
ମନେରଖ ବନ୍ଧୁ ବରଷକେ ପଛେ
କଥା ହେବା ଦୁଇ ପଦ ।।
ବନ୍ଧୁ ପାଶେ ରହୁ ଯେତେ ଦଉଲତ
ବନ୍ଧୁତା ପ୍ରେମ ହିଁ ସର୍ବ,
ଅନ୍ତରରୁ ନିତି କରେ ଯେ ପ୍ରାର୍ଥନା
ନକରେ କେବେ ଯେ ଗର୍ବ ।।
ଭଉଣୀ ସିଏ ଯେ ହସୁଥାଏ ସଦା
ଭାଇ ଭଉଣୀର ଶ୍ରଦ୍ଧା,
ହସ ଭିତରେ ବି ଦେଖି ପାରେ ଅବା
ଲୁହେ ଆଖି ଭିଜେ ଅଧା ।।
ଜନମ ଦିନଟି ସେତୁ ବନ୍ଧ ବାନ୍ଧେ
ଭାଇ ଭଉଣୀର ସାଥେ,
ପ୍ରିୟ ଭାଇ ପାଇଁ ଜନମ ଦିନରେ
ଆଶୀର୍ବାଦ ଦିଏ କେତେ ।।
ଭାଇଟିଏ ଯେବେ ଭଉଣୀ ପାଇଁ ଯେ
ଉପହାର କିଛି ଦିଏ,
ଜନମ ଦିନରେ ଅଧରରେ ହସେ
ରୋକି କି ପାରଇ କିଏ !।
ଜନମ ଦିନରେ ବୟସ ବଢଇ
ଆୟୁଷ କମିବା ସାର,
ତଥାପି ବନ୍ଧୁର ସସ୍ନେହ ବାରତା
ସମ୍ପର୍କ କରେ ମଧୁର ।।
ଆଖିରୁ ନଝରୁ ଲୋତକ ଟିକେ ବି
ମୁଖେ ହସ ସଦା ଥାଉ,
ଜନମ ଦିନରେ କହିଦେବା ପରା
"ହାପି ବାର୍ଥ ଡେ ଟୁ ଇଉ"।।
