ଜଳୁଛି ସହର
ଜଳୁଛି ସହର
ଲାଗିଛି ଅନଳ ଜଳୁଛି ପ୍ରବଳ
କାହାର ନଜର ନାହିଁ
ପାଉଁଶ ତଳରେ ଅତି ଗୋପନରେ
ଜିଅନ୍ତା ଯାଏ ସେ ଖାଇ ।
ଦୃଶ୍ୟମାନ ହୁଏ ସୁନ୍ଦର ପଦାର୍ଥ
ଭିତର କୋଚିଲା ଫଳ
ସେ ଫଳ ପାଇଁକି ଜୀବନ ଦେବାକୁ
ମଣିଷ ଭିଡ଼ରେ ଛଳ ।
ଦୋଷ କରି ଦୋଷୀ ନିର୍ଦ୍ଦୋଷେ ଖଲାସ
ଅମଣିଷ ଆଖି ତଳେ
ଢିଲା ପଣ ଯେତେ ଅନ୍ତରାଳେ ବାସ
ଉପର ନିଆଁରେ ଜଳେ ।
ବିଚ୍ ରାସ୍ତା ଧାରେ ନାରୀର ଇଜ୍ଜତ
ହେଉ ଥାଏ ଧୁଳିସାତ୍
ହାଁ କରି ଲୋକ ଦେଖୁ ଥାନ୍ତି ଏଠି
ସହଜେ ପଳାନ୍ତି ଧ୍ରୁତ ।
ନିଶା ଗ୍ରାସ କଲା ଜନ ଗଣ ବୁଦ୍ଧି
ନିମ୍ନଗାମୀ ହୁଏ ମନ
ଉପଦେଶ ଝୁଡି ଖୋଲି ଦେଲେ ସିନା
ନୀଚ୍ଚ କର୍ମେ ଧ୍ୟାନ ମଗ୍ନ ।
ବ୍ୟାପାର ପାଲଟେ ବିଦ୍ୟାଳୟ ପୀଠ
କୋଚିଙ୍ଗ ସେଣ୍ଟର ଖୋଲି
ବିନା କୋଚିଙ୍ଗରେ କାଳିଦାସ ,ଭଞ୍ଜ
ସୃଷ୍ଟିକୁ ଗଲେ ତ ଭୂଲି ।
ରୂପ ଯଉବନ ଫଗୁଣ ସମାନ
ଆଧୁନିକ ରଙ୍ଗ ବୋଳି
ପଚିଶ ଡେଉନି ମା ଭଉଣୀଙ୍କୁ
ଝିଅ ହେଉ ଥାଏ ଭାଳି ।
ଗ୍ରୀଷ୍ମ ଅନୁଭବ ହାର ମାନେ ଏଠି
ଜଳୁଛି ସଭିଙ୍କ ମନ
ଅଦୃଶ୍ୟ ନିଆଁ ଏ ଭସ୍ମୀଭୂତ କରେ
ହଜାଇ ଦିଏ ସେ ଜ୍ଞାନ ।
ଆଜିର ଚଳନି ଟାଣି ନିଏ କାନି
ମନୁଷ୍ୟ ଦୁର୍ବଳ ହୁଏ
ଜଳି ଜଳି ଏଠି ବଞ୍ଚିବାକୁ ହୁଏ
ଜୁଇରେ ମିଶିବା ଯାଏ ।