STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଜିଲ୍ଲା ପରିକ୍ରମା: ଝାରସୁଗୁଡା

ଜିଲ୍ଲା ପରିକ୍ରମା: ଝାରସୁଗୁଡା

2 mins
174


ସମ୍ବଲପୁର ଜିଲ୍ଲା ଚାରି ଭାଗରୁ ଗୋଟିଏ ଝାରସୁଗୁଡା

ସୀମାରେ ସୁନ୍ଦରଗଡ ଦେବଗଡ ବରଗଡ ଟଣାଭିଡା।

ଇବ ତେଲ ମିଶି ମହାନଦୀ ହୁଏ ଓଡିଶା ଜୀବନ ରେଖା

ସେ ମହାମିଳନ ଝରଣାର ଯହିଁ ଝରରୁ ଝାରସୁଗୁଡା।

 

ଦ୍ୱିତୀୟ ବିଶ୍ବଯୁଦ୍ଧର ହାୱାଇଆଡ୍ଡା ପୁନାରମ୍ଭ ଏବେ ହେଲା

ଝାରସୁଗୁଡାର ମହତ୍ତ୍ଵ ସେଥିରୁ ପ୍ରତିପାଦିତ ହୋଇଲା।

ମାଟି ଆଡେଇଲେ କୋଇଲା ଖଣି ଖନନ ନିଷ୍ପ୍ରୟୋଜନ

ଦୃତ ଶିଳ୍ପାୟନ ଝାରସୁଗୁଡାରେ ଓଡିଶାର ଶ୍ରେଷ୍ଠ ସ୍ଥାନ।


ଲଖନପୁର ବେଲପାହାଡ ହିମଗିରି ବନ୍ଧବାହାଲରେ

ବ୍ରଜରାଜନଗର ମହାନଦୀ କୋଲ୍ ଫିଲ୍ଡ କମ୍ପାନୀ ଚାଲେ।

ଖଣିଜ ସମ୍ପଦ କୃଷି ପଶୁ ପୁଣି ଜଙ୍ଗଲ ଜାତ ଦ୍ରବ୍ୟ ଆଣି

ମହାନଦୀ ଅବବାହିକାରେ ମାଛ ଧରା ନିତିପ୍ରତି ପୁଣି। 


କୋଲାବିରା ଲଇକେରା କିରିମିରା ଲଖନପୁର ସଦର

ପାଞ୍ଚଟି ମଣ୍ଡଳ ନେଇ କ୍ଷୁଦ୍ର ଜିଲ୍ଲା ଚଳ ଚଞ୍ଚଳ ସହର।

ଶବର କୁରୁଖ ସାନ୍ତାଳ କିଶାନ ଭୂୟାଁ ଆଦି ଆଦିବାସୀ 

ଝାରସୁଗୁଡା ଜିଲ୍ଲାର ସିଂହ ଭାଗ ଜନସଂଖ୍ୟା ଅଧିବାସୀ।


ବିକ୍ରମଖୋଲର ଗୁମ୍ଫା କୁଳୁକୁଳୁ ନାଦେ କୋଇଲିଘୁଗର

ରାମ୍ପାଲୁଗା ବଣଭୋଜି କରିବାକୁ ଧାଉଁଥାନ୍ତି ହରବର।

ବେଲପାହାଡ ପାଖ ମୁସଲିମ୍ ଗୌନ୍ତିଆ ରଥଯାତ୍ରା ଠାନେ

ଛେରାପହଁରା କରନ୍ତି ରଥରେ ସଂସ୍କୃତି ସମନ୍ବୟ ଘେନେ।


ସାଦ୍ରି ଭାଷା କୋଶଲୀ ହିନ୍ଦି ଭାଷାର ପ୍ରାଧାନ୍ୟ ରହିଛି ତହିଁ 

ସମ୍ବଲପୁର ହେବାରୁ ମୂଳ ଜିଲ୍ଲା କୋଶଲୀ କାଏଁଥି କାହିଁ।

ମେହେର ବୁଣଟ କାରିଗର ମାନେ ସମ୍ବଲପୁରୀ ଶାଢୀର

ମହିଳା ପୁରୁଷ ତନ୍ତ ବୁଣୁଥାନ୍ତି ବିଶେଷତ୍ୱ ଏ ଜିଲ୍ଲାର।


କୋଲାବିରା ଗଲି ଲଇକେରା ଗଲି ଗଲି ମୁହିଁ କିରିମିରା

କୋଶଲୀ ଭାଷାର ଶୋର୍ ନ ପାଇଲି* ରଡି କଲି ଚିରଚିରା।

ନିଏ କହେବାର କୋଶଲୀ ଭାଷା ହେନ୍ତା କେନ୍ତା ହେବା

ତୋର୍ ଲାଗି ମୁଇଁ ଜୀବନ୍ ଦେମି- କି ମିଠା ଦେବାରେ ଦେବା ।

 

କୋଇଲା ରିଫାଇନେରି ଗଢିଉଠେ କାରଖାନା ମୟ ଯା'ର

ବେଦାନ୍ତ ଜିନ୍ଦଲ ଉତ୍କଳ ଆଲୁମିନା ଝାରସୁଗୁଡା ସହର।

ମହାନଦୀ ପାଣି କେତେ ବହିଲାଣି ଝାରସୁଗୁଡା ପାରୁଶେ

କଳ କାରଖାନା କେତେ ବଢିଲାଣି ପ୍ରଦୂଷଣ ଖାଲି ଦିଶେ।


ସମ୍ବଲପୁରର ଖିଣ୍ଡା ଗ୍ରାମରେ ବୀର ସୁରେନ୍ଦ୍ର ସାଏ

ମାଏଟ୍ ପାଏନ୍ ଲାଗେ ଜୀବନ ଦେବା ସ୍ୱାଧୀନତା ସେନା ଭୁଏ।

ତିଲିଆରୁ ଡଙ୍ଗାରେ ପାରି ହେଲେ ସମ୍ବଲପୁର ଦିଶୁଛି

ହୀରାକୁଦ ବିସ୍ଥାପିତଙ୍କର ଦୁଃଖ କିଏ ଅବା ଶୁଣୁଅଛି !


ଝାରସୁଗୁଡାଟି ଏକକ ସହର ଗହଣାରେ ନିମ କାଠି

ବ୍ରଜରାଜ ନଗର ବେଲପାହାଡ ବାକିର ପଛକୁ ପିଠି।

ମହାନଦୀ ମାଛ ଭାରି ସୁଆଦିଆ ହୀରାକୁଦର ଭଣ୍ଡାର

କଳା ଧୂଆଁ ଖାଲି ଆଖରେ ନାକରେ ବାଜି କରିଲା ଅନ୍ଧାର।


ଉପାନ୍ତ ଜିଲ୍ଲାର ପରିକ୍ରମା ଏହି ଶିକ୍ଷା ଦେଲା ଆମ କାନେ

ଆଜି ଯିଏ ଛୋଟ କାଲି ହେବ ବଡ ସନ୍ଦେହ ନ ରହୁ ମନେ।

ଓଡିଶାର ପୁର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଜିଲ୍ଲାକୁ ଗଲି

ସାରା ଓଡିଶାର ଗୋଟିଏ ସଂସ୍କୃତି ପରକୁ ଆପଣା କଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract