STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଜୀଇଁବା କେବେ

ଜୀଇଁବା କେବେ

1 min
335

ଆଶାରେ ଆଶାରେ କଟିଗଲା ଶୈଶବ

କେତେ ଆଶା ଉଙ୍କି ମାରିଥିଲା ମନରେ

ବୟସ ବଢ଼ିବା ସହିତ ଆଶା ପରିଣତ

ହେଲା ନିରାଶାରେ ହଜିଗଲା ସ୍ବପ୍ନ ସବୁ

ମାୟା ମରୀଚିକାର ମରୁବାଲିରେ।


କେତେବେଳେ ଯେ ପାଦ ଥାପିଲୁ

ପିଚ୍ଛିଳ ଅସ୍ଥିର କୈଶୋର ଅବସ୍ଥାରେ

ତିଳେ ପଡ଼ିଲାନି ଜଣା ହେଳାରେ

ଯୌବନ ଓ ଶୈଶବର ଏଇ ମଧ୍ଯାବସ୍ଥା

ଚାହୁଁ ଚାହୁଁ ବିତିଗଲା ସମୟ ସୁଅରେ।


ସବୁଜ ଯୌବନ ପୁଣି ଦେଲା ଭରି

ଅସରନ୍ତି ସ୍ବପ୍ନ ତରୁଣ ପଥିକ ଆଖିରେ

ଅଦମ୍ୟ ଉଦ୍ଧାମ ଉନ୍ମାଦନାରେ ଶିହରି

ଉଠିଲା ତନୁ ମନ ଅଷ୍ଟାଙ୍ଗ ଶରୀର

ହରାଇଲା ଭାରସାମ୍ୟ ବିଭୋର ବେଳାରେ।


ଜୀବନର ମଧ୍ଯାହ୍ନରେ ଉପାର୍ଜନର ଚିନ୍ତାରେ

ବିତିଗଲା ପ୍ରତିଟି କ୍ଷଣ ଅଭାବ ଅସୁବିଧାରେ

ମହାର୍ଘ ଲକ୍ଷ୍ଯସବୁ ରହିଗଲା ବହୁ ଦୂରରେ

'ମୁଁ' କାରର ଆବରଣ ଧରି ଚାଲୁ ଚାଲୁ

ଅଦିନରେ ଆସିଗଲା ବାର୍ଦ୍ଧକ୍ଯ ଦେହରେ।


ଜୀବନକୁ ଜୀଇଁବାକୁ ମିଳିଲାନି ଫୁରସତ୍

ଅନବରତ ଅବିଶ୍ରାନ୍ତ ଇତସ୍ତତଃ ଧାଁଦୌଡ଼ରେ

ଅଣ୍ଡାଳି ଅଣ୍ଡାଳି ସୁଖକୁ ଗୋଧୂଳିରେ

ତୋଳିବାକୁ ଶାନ୍ତିର ମହାକାଳ ଫଳ

ଜାଗି ରହିଛି ଆଶା ଏବେ ବି ମନରେ।


ନିର୍ବାଣ ପ୍ରାପ୍ତି ଆଶାୟୀ ପ୍ରଦୀପରେ ଅବା

କେତେ ଆଉ ତୈଳ ଅଛି ବାକି

ଜୀବନର ଏଇ ଜଞ୍ଜାଳରେ ହେଉଛି ଘାଣ୍ଟିଚକଟି

ଲମ୍ବି ଲମ୍ବି ଚାଲିଛି ଅତୃପ୍ତ କାମନାର ତାଲିକା

ତଥାପି ରହିଛି ଜୀଇଁବାର ଦୃଢ଼ ଅଭିଳାଷା।


ବଳ ବୟସ ସମୟ ଅର୍ଥ ଆଦି ଉପାଦାନ

ସବୁକିଛି ଯେ ମିଳିବ ସଭିଙ୍କୁ ସଦାବେଳେ

ଏହାର ନାହିଁ କିଛି ସଠିକ୍ ନିର୍ଦ୍ଦିଷ୍ଟତା

ଜୀବନକୁ ମନଭରି ଆପଣା ଇଛାରେ

ଜୀଇଁବାକୁ ନାହିଁ ତ କଟୁ କଟକଣା ବାଧା।


କେବଳ କିଞ୍ଚିତ୍ ବଦଲାଇ ଦେଲେ

ଆପଣାର ଦୃଷ୍ଟିକୋଣ ଜୀଇଁବାର ଶୈଳୀ

ଏଇ ନିରସ ବିରସ ବେରଙ୍ଗୀ ଜୀବନ ବି

ଲାଗିବ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି

ସରସ ସୁନ୍ଦର ମନୋମୁଗ୍ଧକର ପ୍ରତି ମୂହୁର୍ତ୍ତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract