ଜୀବଶ୍ରେଷ୍ଠ ହେ! ମାନବ
ଜୀବଶ୍ରେଷ୍ଠ ହେ! ମାନବ
ଅନିଶ୍ଚିତତାର ଜୀବନ ଭିତରେ
ମାନବର ଜନ୍ମ ନେଇ ,
ଏ ଜୀବନ ପ୍ରଭୁ ତୁମରିତ ଦାନ
କେବେ ଖରା କେବେ ଛାଇ।
ଜୀବଶ୍ରେଷ୍ଠ ଏଇ ମଣିଷ ଜୀବନ
ଏକ ମାୟାଘେରା ଜାଲ ,
ମୋହ ମାୟାଭରା ଅଳିକ ସଂସାରେ
ନାହିଁ ସ୍ନେହଭାବ ମୂଲ ।
ମିଥ୍ୟା ଅହମିକା ମିଛ ପ୍ରଶଂସାରେ
ପାପପଙ୍କେ ବୁଡୁଥାଏ ,
ଆଖି ଵୁଜିଦେଲେ ମୁଠାଏ ପାଉଁଶ
ଏ କଥା ବି ଭୁଲିଯାଏ ।
ଏଠି ଖାଲିଅଛି ଘୃଣା , ତୃଷା , କ୍ଷୁଧା
ନାହିଁ ନାହିଁ ପ୍ରେମଭାବ ,
ଦୁର୍ବଳ ଉପରେ ସବଳ ରଖଇ
ଅତ୍ୟାଚାର ମନୋଭାବ ।
ସମ୍ପର୍କ କାନ୍ଦଇ ଅଭିଶପ୍ତ ହୋଇ
ଶବ୍ଦାୟିତ ଶଦ୍ଦବାଣେ ,
ପ୍ରତିଧ୍ୱନୀ ହୁଏ ନିଜ ଚାରିପାଖେ
ଦୀର୍ଘଶ୍ୱାସ ହୃଦକୋଣେ ।
କେତେ କିଏ ଏଠି ଆସିଛି ଯାଇଛି
ହିସାବ ରଖିଛି କାଳ ,
ଦାନବ ନ ହୋଇ ମାନବ ହୁଅ ହେ!
କର୍ମ ଅନୁଯାୟୀ ଫଳ ।
ଜୀବନ , ଯୌବନ ଚିରସ୍ଥାୟୀ ନୁହେଁ
ପରିଚୟ ଭିନ୍ନ ଭିନ୍ନ ,
ସମୟ ସାଗର ବେଳାଭୂମି ତଟେ
ରହିଯାଏ ପଦଚିହ୍ନ ।
ଜୀବନର ଏହି ରଙ୍ଗଭୂମି ପ'ରେ
ସଭିଏଁ ତ କଳାକାର ,
ଅଭିନୟ ସବୁ ସରିଗଲା ପରେ
ମଞ୍ଚହୁଏ ଅନ୍ଧକାର ।
ମୃତ୍ୟୁର ସଂଜ୍ଞାଟି ଜାଣିବା ଆଗରୁ
ସୁଧାର ଚରିତ୍ର ଲିପି ,
ସସ୍ରଦ୍ଧ ସମ୍ମାନେ ବିଦାୟ ନିଅ ହେ !
ଜୀବଶ୍ରେଷ୍ଠ ରଙ୍ଗଲେପି ।
ଏନ୍ତୁଡ଼ି ଶାଳରୁ ଶ୍ମଶାନ ପର୍ଯ୍ୟନ୍ତ
ହେ ! ଜୀବଶ୍ରେଷ୍ଠ ମାନବ,
ନ କର ନ କର କେବେ ଛାରଖାର
ଅସ୍ତିତ୍ବର ପରାଭବ ।
ନଶ୍ଵର ଜୀବନ ଶେଷ ଦିଗନ୍ତହିଁ
ମୃତ୍ୟୁପରେ ପରଲୋକ ,
କ୍ଳାନ୍ତ ଗୋଧୂଳିର ଗୋ'ଫେରା ପଥରେ
ଦିବ୍ୟଧାମ ଦେବଲୋକ।