ଜୀବନଟା ମଲା ନଈ
ଜୀବନଟା ମଲା ନଈ
ସପନ ଦେଖିଲି କାଲି ରାତିରେ ମୁଁ
ଯମ ଦୂତ ଆସି ପାଶେ
ଚାରି ପାଶେ ମୋର ଘେରି ବସିଛନ୍ତି
ନେବା ପାଇଁ ମୋତେ ଫାଶେ ।
କର ଯୋଡି ପାଦେ କରେ ଗୁହାରି ମୁଁ
ଆଜି ମୋତେ ଛାଡ଼ି ଦିଅ
ଆଠ ଦିନ ପରେ ଝିଅ ବାହା ହେବ
କେମିତି ଯିବି ମୁଁ କୁହ ।
ବେକାର ବସିଛି ପୁଅ ମୋର ଘରେ
ପୁଣି ତାର ବିଭାଘର
ଅନେକ ଜଞ୍ଜାଳ ମୋହ ବାନ୍ଧି ଅଛି
କେମିତି କରିବି ପାର ।
ବଉଳା ଗାଈଟା ଦଶ ମାସ ଗର୍ଭ
ପ୍ରୟୋଜନ ଦେଖା ଶୁଣା
ଛ ମାଣ ଜମିରେ ଚାଷ କରିଛି ରେ
ଧାନ ହୋଇ ନାହିଁ ବୁଣା ।
ବୁଡି ମା'ର ମୁଁ ନୟନର ମଣି
ମୋ ବିନା ପାରେନା ଚାଲି
ଏତେ ସବୁ କାମ କିଏ ସେ କରିବ
କେମିତି ଯିବି ମୁଁ ଚାଲି ।
ପତ୍ନୀ କରି ଅଛି ମୋ ପାଇଁ ସାବିତ୍ରୀ
ପ୍ରଭୁ ପାଦେ କରି ଧ୍ୟାନ
ଶଂଖା ସିନ୍ଦୂରର ସୁରକ୍ଷା ପାଇଁକି
ନିର୍ଜଳା ଉପାସେ ମନ ।
ଆନନ୍ଦେ ଉଚାଟି ଯମ ଦୂତ ଗଣ
କୋଳାହଳେ ଗଲେ ମାତି
କାହାକୁ କହୁଛୁ ଆପଣାର ବୋଲି
କେହି ରହିବେନି କତି ।
ମାୟା ଜାଲ ତୋର ଆଖିରେ ବାନ୍ଧିଛୁ
ତେଣୁ ଲାଗେ ଆପଣାର
ହାତକୁ ଅଳପ କୃପଣ କରିଦେ
ଦେଖିବୁ ତୁ ପଟୁଆର ।
ସ୍ଵାର୍ଥପର ମନେ ସଭିଏଁ ଆସନ୍ତି
ପୁରଣେ ଅତ୍ୟନ୍ତ ଖୁସି
ପ୍ରତିରୋଧ କଲେ ଅଭିଶାପ ଗାଳି
ଦୂରେ ଚାଲି ଯିବେ ରୁଷି ।
ଖରା ବରଷାରେ ପରିଶ୍ରମ କରି
ଯା ମୁଖେ ଦେଲୁ ତୁ ଦାନା
ଦିନେ ସେହି ଲୋକ ମୁଖ ନଦେଖିବେ
କରିବେ ମନରୁ ଘୃଣା ।
ଜୀବନ ଏମିତି ମଲା ନଈ ଗୋଟେ
ମିଛେ କହୁ ମୋର ମୋର
ମୁଠାଏ ପାଉଁଶ ତୋ ଦେହର ସାର
ଶ୍ମଶାନ ପୀଠ ତୋ ଘର ।
