ଜୀବନ୍ତ ଠାକୁର
ଜୀବନ୍ତ ଠାକୁର
ଦେଖିନାହିଁ ଡୋଳେ ଜୀବନ୍ତ ଠାକୁର
ପାଇନି ସରଗ ସୁଖ
ଅନୁଭବ ମାତ୍ର ସାଉଁଟି ରଖିଛି
ସେଥିରେ ନାହିଁ ମୋ ଦୁଃଖ ।
କେବଳ ପାଇଛି ସାନ୍ନିଧ୍ଯ ତାଙ୍କର
ଯିଏ ଜନ୍ମଦାତା ମୋର
ତାଙ୍କ ପାଦେ ଅଳି କରିଛି ସର୍ବଦା
ଯେଉଁଠି ନାହିଁ ମୋ ଡର ।
ସେହି ସ୍ବର୍ଗ ମର୍ତ୍ତ୍ୟ ସେହି ମୋ ଦୁନିଆ
ସେହି ମୋ ପାଇଁ ଠାକୁର
ଦୁନିଆ କୁ ଯିଏ ଆଣିଛନ୍ତି ମୋତେ
ପୂଜେ ମୁଁ ତାଙ୍କ ପୟର ।
ତାଙ୍କର ଆଶିଷ ପାଇ ମୁଁ ଧାଉଁଛି
ଜୀବନର ସଂଗ୍ରାମରେ
ଥକି ପଡିନାହିଁ ଫେରି ଚାହିଁନାହିଁ
କେବେ ବି ପଛକୁ ଥରେ ।
ଆଙ୍ଗୁଠି ଧରି ଯେ ଚାଲି ଶିଖାଇଲେ
ଦେଲେ ଉତ୍ତମ ସଂସ୍କାର
ମୁଖରେ ବଚନ ପେଟକୁ ଭୋଜନ
ଦେଇ କଲେ ଅଗ୍ରସର ।
ଶିକ୍ଷା ଦୀକ୍ଷା ଦେଇ ଗଢିଲେ ଜୀବନ
ଭଲ ମଣିଷଟି ପାଇଁ
ତାଙ୍କ ଆଶୀର୍ବାଦ ବରଦାନ ପାଇ
ଗଲି ମୁଁ ଆଗକୁ ଧାଇଁ ।
ଆଦର ସମ୍ମାନ ଧନ ବା ଐଶ୍ବର୍ଯ୍ଯ
କେଉଁଥିରେ ନାହିଁ ଲୋଭ
ପାଇଛି ଯେ ସୁଖ ତାଙ୍କ ପାଦତଳେ
ସେହି ମୋର ସ୍ବର୍ଗଭୋଗ ।
ସେପରି ଦେବତା ଦେଖିନାହିଁ କେବେ
ନା କରିଛି ଅନୁଭବ
କଥା ଯେ କୁହନ୍ତି ଆଶିଷ ଦିଅନ୍ତି
ପ୍ରତ୍ୟକ୍ଷ ଦେବାଧିଦେବ ।
ତାଙ୍କ ଶ୍ରୀଚରଣେ ଶ୍ରଦ୍ଧା ଓ ସୁମନ
ରହିଥାଉ ନିରନ୍ତର
ତାଙ୍କ ପଦଧୂଳି ମଥାରେ ମୁଁ ବୋଳି
କଟୁ ଏ ଜୀବନ ମୋର ।