ଜୀବନର ସତ୍ୟ
ଜୀବନର ସତ୍ୟ
ସତ୍ୟ ମାନେ ଏତେ କରୁଣ କେମିତି
ସମ୍ପର୍କର ଛାତି ତଳେ ,
ସୌଭାଗ୍ୟ , ଦୁର୍ଭାଗ୍ୟ ସବୁ ତ ସମ୍ଭବ
ନିଷ୍ଠୁର ନୀୟତି ବଳେ ।
ମନ ଖୋଜୁଥାଏ ସୁନାର ଫରୁଆ
ସାଇତିବା ପାଇଁ ସ୍ମୃତି ,
ମହଣ ମହଣ ଅନ୍ଧାର ଭିତରେ
ଖୋଜଇ ଜୀବନ ଜ୍ୟୋତି ।
ଉଦୟ ଅସ୍ତର ମାୟା ମୋହ ଜାଲେ
ଆଜନ୍ମ କେବଳ ଧାଏଁ ,
ଶୁକ୍ଳପକ୍ଷ ଆଉ କୃଷ୍ଣପକ୍ଷ ପରି
ସୁଖ ବାଟ ଭାଙ୍ଗେ ଛାଏଁ ।
ବୃଦ୍ଧି ବି ଯେତିକି କ୍ଷୟ ବି ସେତିକି
ଜୀବନ ଯାତ୍ରା ମଧ୍ୟରେ ,
କେବେ ଝୁଣ୍ଟି ପଡ଼େ କେବେ ପୁଣି ଦୌଡ଼େ
ଜୀବନ ଯୁଦ୍ଧ ବାଟରେ ।
ଜନ୍ମ ପରେ ଜନ୍ମ ଯୁଗ ପରେ ଯୁଗ
ବିଧିରେ ନା ବିଧାନରେ ,
ମୋହ ପାଇଁ ଅବା ବଞ୍ଚିବାର ପାଇଁ
କେବଳ କର୍ତ୍ତବ୍ୟ କରେ ।
କେତେ ଯେ ଚିତ୍କାର ଡହଳ ବିକଳ
ଜୀବନକୁ ମାପୁ ମାପୁ ,
ସରିଯାଏ ଖେଳ ଅସ୍ତ ହୁଏ ବେଳ
ସମୟକୁ ଦେଖୁ ଦେଖୁ ।
ସତ୍ୟ ରାମ ନାମ କୋକେଇ ସ୍ଳୋଗାନ
ଚଳଇ ଶ୍ମଶାନ ପଥେ ,
ଲିଭିଯାଏ ଦୀପ୍ତି ହୋଇଯାଏ ଇତି
ଶେଷରେ ପାଉଁଶ ମୁଠେ ।
ସବୁ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ମଧ୍ୟେ
ସବୁ ହୁଅଇ ବିଲୀନ ,
ଏଇତ ପ୍ରକୃତ ମୋହ,କ୍ଷୟ ଯୁକ୍ତ
ମାୟା ମଣିଷ ଜୀବନ ।
