ଜୀବନର ସାର୍ଥକତା
ଜୀବନର ସାର୍ଥକତା
ସବୁକିଛି ଅସତ୍ୟ ବା ଅର୍ଦ୍ଧସତ୍ୟ
ଈଶ୍ୱର କେବଳ ସତ୍ୟ
ସତ୍ୟ ଶିବ ସୁନ୍ଦର ଓ ସତ୍ ଚିତ୍
ସତ୍ୟ ସହିତ ସର୍ବତ୍ର
ମଣିଷ ଭିତରେ ଲୁକ୍କାୟିତ ଭାବ
ଦିବ୍ୟ ଚେତନା ରୂପରେ
ଅନୁମାନ କିମ୍ବା ନୁହଁଇ କଳ୍ପନା
ମାତ୍ର ଦିବ୍ୟାନୁଭୂତିରେ
ଅତ୍ର ତତ୍ର ଓ ସର୍ବତ୍ର ବିଦ୍ୟମାନ
ତ୍ରିଗୁଣାତ୍ମକ ତତ୍ତ୍ଵ ରେ
ଏକ ମାତ୍ର ସତ ସ୍ଵୟଂ ଜଗନ୍ନାଥ
ଏ ଘୋର କଳି ଯୁଗରେ
ଧର୍ମ କେବଳ ଉପାସନାର ପୁଞ୍ଜି
ସ୍ରୋତ ସମ ନଦୀ ଧାରେ
ଦିବ୍ୟ ଚେତନାର ମାର୍ଗ ପରିଦୃଶ୍ୟ
ମାତ୍ର ଆଧ୍ୟାତ୍ମିକତା ରେ
ଜୀବନ-ସାଗର-ମନ୍ଥନ ବଳରେ
ଆଧ୍ୟାତ୍ମିକ ଅନୁଭୂତି
ସମୁଦ୍ର ଗର୍ଭରୁ ମୁକ୍ତ ଉପଲବ୍ଧି
ଯେପରି ହୁଏ ସମ୍ପ୍ରତି
ସଫଳତା ଓ ସାର୍ଥକତା ର ସଂଜ୍ଞା
ନୁହେଁ ଏକ,ପ୍ରାୟ ଭିନ୍ନ
ଜୀବନ ସାର୍ଥକ ଦୌଡ଼ରେ ଅବଶ୍ୟ
ବିଫଳତା ଦୃଶ୍ୟମାନ
ଉଭୟ ସଫଳତା ଓ ସାର୍ଥକତା
ପ୍ରାପ୍ତ କରା ଯାଇ ପାରେ
ପ୍ରାଥମିକ ଲକ୍ଷ୍ୟ ଓ ପରମ ଲକ୍ଷ୍ୟ
ମଧ୍ୟେ ସେତୁ ନିର୍ମାଣରେ
ଧନ ଜନ ଗୋପ ଲକ୍ଷ୍ମୀ ଯଶ କୀର୍ତ୍ତି
ସଫଳତାର ପ୍ରତୀକ
ମାନବିକତା ସହ ଆଧ୍ୟାତ୍ମିକତା
ସାର୍ଥକତା ର ମାପକ
ସକ୍ରେଟିସ ବିଷପାନ କରି ମୃତ୍ୟୁ
କୃଶ ବିଦ୍ଧ ଯୀଶୁ ପରି
ଗୁଳି ଚୋଟ ଧାରେ ଟଳି ପଡ଼ି ଗାନ୍ଧୀ
ଆଦର୍ଶତା ସର୍ବୋପରି
ଆଲେକଜାଣ୍ଡାର ବିଶ୍ଵ ଜୟ କଲେ
କିନ୍ତୁ ଜନ୍ମି ଶୂନ୍ୟ ହସ୍ତେ
ଏ ଦୁନିଆ ଛାଡ଼ି ଚାଲି ଗଲା ବେଳେ
କିଛି ବି ନ ଥିଲା ହାତେ
ସର୍ବତ୍ୟାଗୀ ଭିକ୍ଷୁକ ସେ ଗୌତମଙ୍କ
ବାଣୀ ଓ ଦର୍ଶନ ଧାରେ
ବିଶ୍ବର କୋଣ ଅନୁକୋଣେ ଆଦୃତ
ପ୍ରତି ଚିନ୍ତା ଚେତନାରେ
ସରଳ ଜୀବନ ଉତ୍କୃଷ୍ଟ ଜୀବନ
ଜୀବନର ବାସ୍ତବତା
ଅଳ୍ପରେ ସନ୍ତୁଷ୍ଟ ଅନ୍ୟ ହିତେ ସେବା
ଜୀବନର ସୁନ୍ଦରତା
ଅସ୍ଥାୟୀ ଶିବିର ପ୍ରାୟ ଏହି ଧରା
ବାସସ୍ଥାନ ବି ଅସ୍ଥାୟୀ
ଚିରସ୍ଥାୟୀ ବାସସ୍ଥାନ ଅନ୍ୱେଷଣେ
ଆତ୍ମା ରହିଅଛି ଚାହିଁ
କ୍ଷଣିକ ଜୀବନ କ୍ଷଣିକ ରହଣୀ
କ୍ଷଣକେ ପରିବର୍ତ୍ତନ
କେବଳ ଆଶ୍ରୟ ଯୋଗ୍ୟ ଏହି ଧରା
ବଞ୍ଚିବା ପାଇଁ ନିଦାନ
ଦୁର୍ଲ୍ଲଭ ମଣିଷ ଜୀବନ କ୍ଷଣିକ
ସତେ କେତେ ଅଭିନୟ
ଜୀବନ ନାଟକ ପରେ ଯବନିକା
ଟାଣି ଆସଇ ନିଶ୍ଚୟ
ଦର୍ଶକ ବିଭୋର ଅବା ମ୍ରିୟମାଣ
କାହାଣୀ ଚରିତ୍ର ଦେଖି
ନାଟକ ସରିଲେ ଚର୍ଚ୍ଚା ହୋଇଥାଏ
ଅଭିନୟ କୁ ପରଖି
ହୃଦୟକୁ ଯଦି ଛୁଇଁ ପାରି ଥାଏ
କଳାକାର ଅଭିନୟ
ସୁନିଶ୍ଚିତ ଶତ ମୁଖରେ ପ୍ରଶଂସା
ନୁହେଁ ତିଳେ ବି ସନ୍ଦେହ
ବଞ୍ଚିଥିବା ବେଳେ କରିଥିବା କାର୍ଯ୍ୟ
ମରଣ ପରେ ତର୍ଜମା
ଜନ ହିତକର କାମ କରିଥିଲେ
ପ୍ରଶଂସା ସହ ଉପମା
ପର ଉପକାର କାମ କରିଥିଲେ
ଝୁରି ହୁଏ ଏ ସମାଜ
ଜ୍ଞାତି କୁଟୁମ୍ବ ଶ୍ରଦ୍ଧା ସହ ପାଳନ୍ତି
ମୃତ୍ୟୁ ପର ପର କାର୍ଯ୍ୟ
ଘୃଣ୍ୟ କାମ କରିଥିଲେ ଜୀବନରେ
ନିନ୍ଦା ଅପଯଶ ମିଳେ
ମରିଗଲା ଭଲ ହେଲା ସର୍ବ ମୁଖେ
ନିନ୍ଦା ବି କୁଟୁମ୍ବ ମେଳେ
ଭଲ କର୍ମର ଭଲ ଫଳ ସର୍ବଦା
ବଞ୍ଚିବା ମରିବା ପରେ
ଜୀବିତ ବେଳେ ଅମାନୁଷିକ କାମ
ନିନ୍ଦା ସବୁ ସମୟରେ
ଜୀବିତ ସମୟେ କହିଥିବା କଥା
ଅବା କରିଥିବା କାମ
ମରଣ ଉପରାନ୍ତ ହୁଅଇ ଚର୍ଚ୍ଚା
ସୁନାମ ଅବା ଦୁର୍ନାମ
ମୃତ୍ୟୁ ଉପରାନ୍ତ ଚର୍ଚ୍ଚା ଲାଗି ରହେ
ବ୍ୟକ୍ତି ଓ ବ୍ୟକ୍ତିତ୍ୱର
ଭଲ ମନ୍ଦ ଆଉ ସୁନାମ ଦୁର୍ନାମ
ଜନ ମୁଖରେ ବିଚାର
ଫେରିବାକୁ ହେବ ଏହି ଦୁନିଆରୁ
କିଛି ପ୍ରତିଦାନ ସହ
ସେବା କର୍ମ ଆଧାରରେ ଗୁଣଗାନ
ଜାରି ରହିବ ନିଶ୍ଚୟ
ଜୀବନ ସୀମିତ ନୁହେଁ ଜୀଇଁବା ରେ
ବ୍ୟାପକ ଜୀବନ କାଳ
ପ୍ରତିଟି ମଣିଷ ଫୁଲ ଗଛ ସମ
ଫୁଲ ଫୁଟିଲେ ସଫଳ
ଜୀବନ ବି ଖେଳ ସମାନ ପ୍ରତ୍ୟୟ
ଜୟ ପରାଜୟ ଭରା
ଉଡି ଯାଏ ସବୁ କିଛି ହସି ଖେଳି
ଖେଳ ପିଲା ବେଳ ସାରା
କ୍ଷଣିକ ଜୀବନ ହେଉ ନିୟୋଜନ
ସେବା ଦାନ ପୁଣ୍ୟ ପଥେ
ନାମ କୀର୍ତ୍ତି ଯଶ ଗୁଣଗାନ ରହୁ
ଜୀବନ ମରଣ ସାଥେ
ଜୀବନରେ ଅର୍ଥର ଆବଶ୍ୟକତା
ପ୍ରାୟ ନିଶ୍ଚିତ ରୂପରେ
ତାହା ଠାରୁ ଅଧିକ ଆବଶ୍ୟକତା
ମାନବିକତା ହୃଦରେ
ଯାହାର ଭୋଜନ ସହିତ ଭୋକ
ପୁଣି ଧନ ସହ ଧର୍ମ
ଦୁନିଆରେ ସେ ପ୍ରକୃତ ଭାଗ୍ୟବାନ
ଏଇୟା ହିଁ ସାରମର୍ମ
ଜୀବନ କାନ୍ଦିବା ଠାରୁ ହିଁ ପ୍ରାରମ୍ଭ
ହସ,ପରେ ଅନ୍ୱେଷଣ
ଯଦି ମୃତ୍ୟୁ ପରେ ଅନ୍ୟ ଆଖି ଓଦା
ତାହା ସାର୍ଥକ ଜୀବନ
