ଚାତକ ପରାୟ ଚାହିଁ ରହିଛି ଶୁନ୍ୟକୁ
ଅଚାନକ ମେଘ ଧାରେ ବର୍ଷା ଚାଖିବାକୁ
ଫେରିବା ବାଟକୁ ଚାହିଁ ଦିନ ମୋ ବିତୁଛି
ପ୍ରଥମ ଛୁଆଁର ଭାବ ହୃଦରେ ରହିଛି
ବାହୁ ବନ୍ଧନରେ ରହି ଆଲିଙ୍ଗନ ଧାରେ
କେତେ ଯେ ଉଷ୍ମ ଚୁମ୍ବନ ଥିଲା ମୋ ଓଠରେ
ଋତୁ ପରେ ଋତୁ କ୍ରମେ ପୁଣି ଅତିକ୍ରାନ୍ତ
ଫେରିବା ପଥକୁ ଚାହିଁ ମନ ବି ଚିନ୍ତିତ
ବର୍ଷା ବୁନ୍ଦା ସମ ତୁମ ପ୍ରେମ ସଂସ୍ପର୍ଶରେ
ମୌସୁମୀର ଭ୍ରମ ପୁଣି ହୃଦ କନ୍ଦରରେ
ତୁମର ଝଲକ ମାତ୍ର ଦେଖିବାକୁ ଥରେ
କେତେ ଆଶା ସମାହିତ ମନ ଅଗଣାରେ
ଝରକା ପାଖରୁ ଯେବେ ଦେଖୁଥାଏ ଜହ୍ନ
ଆଖି ମୋର ସ୍ଥିର ଭାବେ କରେ ନିରୀକ୍ଷଣ
ସକାଳର ସୂର୍ଯ୍ୟ, ରାତ୍ରିର ଚନ୍ଦ୍ରମା ଚିତ୍ର
ତା ଭିତରେ ଦେଖେ ତୁମ ଫେରିବାର ପଥ
କ୍ଷୁଧାର୍ଥ ଶାବକ ମୁଖେ ଦାନା ହିଁ ଦେବାକୁ
ମାଆ ପକ୍ଷୀ ସ୍ବଭାବତଃ ଫେରଇ ନୀଡ଼କୁ
ସୀମାନ୍ତରେ ସୈନ୍ୟ ଭାବେ ଥିଲେ କାର୍ଯ୍ୟରତ
ମାଆ ପତ୍ନୀ କନ୍ୟା ଅବା ପ୍ରେମିକା ଚିନ୍ତିତ
ଫେରିବା ବାଟକୁ ଚାହିଁ ଗଣା ଯାଏ ଦିନ
କେବେ ନା କେବେ,ଫେରି ଆସିବ ସେ ଧନ
ଧନ ମୋର ,ତୁମେ ହିଁ ମୋ ଅତି ଆପଣାର
ତୁମ ପ୍ରେମ ପ୍ରୀତି ବନ୍ଧନ ହିଁ ଶ୍ରେୟସ୍କର
ଅଛି ସେଇ ବିଲ ବଣ ପାହାଡ ଝରଣା
ଶୂନ୍ୟତାର ପଦ ଧ୍ୱନୀ ପ୍ରାୟ ତୁମ ବିନା
ମଳୟ ପବନେ ଯେବେ ଉଡ଼ଇ ଓଢ଼ଣୀ
ତୁମ ହାତେ ଟାଣିବାର ଭ୍ରମ ହୁଏ ପୁଣି
ସ୍ଥିର ଥିବା ପାଣି ଆମ ଉପସ୍ଥିତି ଜାଣି
ଚହଲି ଉଠିବା କଥା ମନରୁ ଲିଭୁନି
ଯଦିଓ ଏକାକୀ କେବେ ଦେଖେ ସେଇ ପାଣି
ପ୍ରତିବିମ୍ବ ଧାରେ ପାଣି ସ୍ଥିର ବି ସେ'କ୍ଷଣି
ପ୍ରେମ ପଥେ ନାହିଁ ପରା ନିଷ୍ଠୁରତା ଭାବ
ପ୍ରେମରେ ଆସକ୍ତ ପ୍ରେମୀ ଜାଣେ ହୃଦ ଭାବ
ରାଧା ସମ ବିରହିଣୀ ମୀରା ସମ ଭକ୍ତି
କାହ୍ନା ରୂପେ ହୃଦେ ତୁମ ପ୍ରତି ହିଁ ଆସକ୍ତି
ମାନିନୀ ମୁଁ ରାଧା ସମ କାହ୍ନା ବାଟ ଚାହିଁ
ମୀରା ସମ ଭାବନାରେ ତୁମ ଛବି ତହିଁ
ପ୍ରତୀକ୍ଷାର ଅନ୍ତ ଆପେ କେବେ ଯେ ଘଟିବ
ତୁମ ପ୍ରତିଶ୍ରୁତି ଧାରେ,କେବେ ବା ଆସିବ !!
ଶୟନେ ସପନେ ଅବା ଜାଗରଣେ ପୁଣି
ତୁମେ କେବେ ଆସିବାର ଶୁଭେ ପ୍ରତିଧ୍ୱନୀ
ମୂକ ସାକ୍ଷୀ ସେଇ ଅତି ପରିଚିତ ସ୍ଥାନ
ପ୍ରତିଧ୍ୱନୀ ମାଧ୍ୟମରେ ସେଇ ଏକା ପ୍ରଶ୍ନ
ତୁମର ସେ କେବେ ପୁଣି ଆସିବେ ସାଥିରେ
କି ଉତ୍ତର ଦେବି ! ନିଜେ ନିଜକୁ ପଚାରେ
ପ୍ରେମ ନାମେ ରାଣ ଦେବା କଣ ଠିକ୍ ହେବ !
ତୁମେ ଆସିବା ଉତ୍ତର ,କହିବାକୁ ହେବ
ପ୍ରଥମ ସାକ୍ଷାତ ଅବା ମିଳନ ବେଳା ରେ
କେତେ ଗୀତ ଗାଉ ଥିଲ ଗୁଣୁ ଗୁଣୁ ସ୍ଵରେ
ତୃଷାର୍ତ୍ତ ପ୍ରାଣ ମୋ କଣ ତୃପ୍ତି ନ ଲଭିବ !
ସତ କୁହ ତୁମ ସହ କେବେ ଦେଖା ହେବ !!
ଏହି ପାଗଳ ହୃଦୟ ଅପେକ୍ଷା କରିଛି
ତୁମ ଆସିବା ପଥକୁ ଚାହିଁ ରହିଅଛି
କେତେ ଦିନ ଏ ଯନ୍ତ୍ରଣା ଚାଲୁ ରହିଥିବ
ବୁଝି ବି ଅବୁଝା ପ୍ରାୟ ତୁମ ହାବ-ଭାବ
ଆଶା ଓ ବିଶ୍ବାସ ତୁମେ ନିଶ୍ଚୟ ଆସିବ
ତଥାପି ଜିଜ୍ଞାସା,ତୁମେ କେବେ ଯେ ଆସିବ!!
ହୃଦ ସ୍ପନ୍ଦନରେ ପୁଣି ସେଇ ଏକା କଥା
ତୁମ ଫେରିବାର ପଥ ଧାରେ ମୋର ଚିନ୍ତା
ଭାବ ରୂପକ ସମୁଦ୍ର, ଲଙ୍ଘି ଯାଉ କୂଳ
ଦୁଇ ଆତ୍ମାର ମିଳନେ କେତେ ଯେ ବ୍ୟାକୁଳ
ତୁମେ କେବେ ଆସିବାର ସୂଚନା ବିହୁନେ
ସେଇ ଏକା ପ୍ରଶ୍ନ ,ମୋର ତନ ମନ ପ୍ରାଣେ
ବିଦ୍ୟାଧର ମନ୍ତ୍ରୀ
ଅଳକାପୁରୀ,ବ୍ରହ୍ମପୁର
ଜିଲ୍ଲା...ଗଞ୍ଜାମ