ଶ୍ରୀକୃଷ୍ଣ ଓ ଦେବୀ ରୁକ୍ମିଣୀ ନନ୍ଦନ
ପ୍ରଦ୍ୟୁମ୍ନଙ୍କ କାହାଣୀରେ
ଅନନ୍ୟ ରହସ୍ୟ ପୁଣି ଚମତ୍କାର
ଜୀବନ କାଳ ଭିତରେ
ପ୍ରଦ୍ୟୁମ୍ନ ସହଜେ କାମଦେବଙ୍କର
ଅବତାର ରୂପେ ମାନ୍ୟ
କାମଦେବ ପତ୍ନୀ ରତି ଦେବୀ ପୁଣି
ମାୟାବତୀ ରୂପେ ଜନ୍ମ
ପ୍ରଦ୍ୟୁମ୍ନ ରୂପରେ ଜନ୍ମ ହେବା ପୂର୍ବେ
କାମଦେବ ସାଥେ ରତି
ପତି ପତ୍ନୀ ଭାବେ ନିବିଡ ସମ୍ପର୍କ
ଥିଲା ତ୍ରିଭୁବନେ ଖ୍ୟାତି
ଶିବଙ୍କ କ୍ରୋଧର ଶିକାର ବଳରେ
କାମଦେବ ଭସ୍ମୀଭୂତ
ପତି ବିୟୋଗରେ ବ୍ୟାକୁଳିତ ରତି
କ୍ରମଶଃ ଆପେ ଉନ୍ମତ୍ତ
ପତି ପୁନଃ ପ୍ରାପ୍ତି ଅର୍ଥେ ରତି ପୁଣି
ଶିବ ପାର୍ବତୀ ସ୍ମରଣେ
ତପ ସାଧନାରେ ହଜାଇ ନିଜକୁ
ପତି ପାଇଁ ପଣ ପ୍ରାଣେ
ପ୍ରସନ୍ନ ପୂର୍ବକ ଦେବୀ ପାର୍ବତୀଙ୍କ
ଆଶିଷ ହୋଇଲା ପ୍ରାପ୍ତ
ଶ୍ରୀକୃଷ୍ଣଙ୍କ ପୁତ୍ର ରୁପେ ଜନ୍ମ ଲାଭ
ଆଶୀର୍ବାଦ ଧାରେ ବ୍ୟକ୍ତ
ସମ୍ବରାସୁର ହିଁ ମାଧ୍ୟମ କେବଳ
ପ୍ରଦ୍ୟୁମ୍ନ ମିଳନ ପଥେ
ମାୟାବତୀ ରୂପେ ରତି ଦେବୀ କ୍ରମେ
ମିଳିତ ହେବେ ତ୍ୱରିତେ
ପ୍ରଦ୍ୟୁମ୍ନଙ୍କ ଜନ୍ମ ଶ୍ରୀକୃଷ୍ଣ ଗୃହରେ
ବ୍ୟାପକ ହେଲା ଖବର
ମୃତ୍ୟୁ ଦୂତ ଭାବେ କ୍ରମେ ଅବଗତ
ଦୈତ୍ୟ ସେ ସମ୍ବରାସୁର
ନବଜାତ ପୁତ୍ର ଅପହରଣର
ପର ମୁହୂର୍ତ୍ତରେ ଦୈତ୍ୟ
ନିକ୍ଷେପ କରିଲା ସମୁଦ୍ର ଗର୍ଭରେ
ଶତ୍ରୁ ନାଶ ଚିନ୍ତା ମାତ୍ର
ସଂଯୋଗ ବଶତଃ ମତ୍ସ୍ୟ ହାବୁଡ଼ରେ
ଗିଳିଲା ସେ ଶିଶୁ ପୁତ୍ର
ମତ୍ସ୍ୟ ଧରାଳିଙ୍କ ଜାଲରେ ସେ ମତ୍ସ୍ୟ
ଧରା ପଡ଼ିଲା ତ୍ୱରିତ
ସେହି ମତ୍ସ୍ୟ ପୁଣି ଦୈତ୍ୟ ହେଲା ପ୍ରାପ୍ତ
କ୍ରମେ ମାୟାବତୀ ହାତେ
ମତ୍ସ୍ୟ ଗର୍ଭେ ଥିବା ଜୀବନ୍ତ ପୁତ୍ରର
ଦର୍ଶନ ସମ୍ଭ୍ରମ ଚିତ୍ତେ
କ୍ରମେ ସେ ନାରଦ ମୁନିଙ୍କ ମୁଖରୁ
ଜ୍ଞାତ ହେଲେ ମାୟାବତୀ
ପୂର୍ବ ଜନ୍ମର ସେ କାମ ଦେବ ପୁଣି
ଥିଲା ତା ଜୀବନ ସାଥୀ
ଜନନୀ ପରାୟ ଲାଳନ ପାଳନ
କ୍ରମେ ପ୍ରଦ୍ୟୁମ୍ନଙ୍କ ପ୍ରତି
ଯଥା ସମୟରେ ରହସ୍ୟ ଖୋଲିବ
ଭାବନାରେ ମାୟାବତୀ
ପ୍ରଦ୍ୟୁମ୍ନ କ୍ରମଶଃ ଜ୍ଞାତ ହେଲେ ସର୍ବ
ପୂର୍ବ ଜନ୍ମର ବୃତ୍ତାନ୍ତ
ପ୍ରଦ୍ୟୁମ୍ନ ଓ ମାୟାବତୀ ମିଳନରେ
ପ୍ରତିବନ୍ଧକ ସେ ଦୈତ୍ୟ
ସୁଯୋଗ ମାତ୍ରେ ହିଁ ଦୈତ୍ୟ ହତ୍ୟା ଚିନ୍ତା
ଥିଲା ପ୍ରଦ୍ୟୁମ୍ନ ମନରେ
ସମ୍ବରାସୁର ର ନିଧନ ଘଟିଲା
କ୍ରମେ ପ୍ରଦ୍ୟୁମ୍ନ ହାତରେ
ପ୍ରଦ୍ୟୁମ୍ନ ଓ ମାୟାବତୀଙ୍କ ବିବାହ
କ୍ରମେ ହୋଇଲା ସମ୍ପନ୍ନ
ପୂର୍ବ ଜନ୍ମ କାମଦେବ ଓ ରତିଙ୍କ
ଅବଶ୍ୟ ପୁନଃ ମିଳନ
ବଳିଷ୍ଠ ଚେହେରା ଧାରେ ପ୍ରଦ୍ୟୁମ୍ନଙ୍କ
ପ୍ରଭାବିତ ରୁକ୍ମବତୀ
ସମ୍ପର୍କୀୟ ଜାଣି ସୁଦ୍ଧା ପ୍ରଦ୍ୟୁମ୍ନଙ୍କୁ
ପସନ୍ଦ କଲେ ସମ୍ପ୍ରତି
ଦ୍ଵିତୀୟ ବିବାହ ରୁକ୍ମବତୀ ସାଥେ
ନିଜ ସୁନ୍ଦରତା ଗୁଣେ
ପ୍ରଭାବତୀ ନାମ୍ନୀ ଦୈତ୍ୟ କନ୍ୟା ପୁଣି
ମୋହିତ ହେଲା ଦର୍ଶନେ
ଯଦିଓ ବିବାହ କ୍ରମରେ ସ୍ଥାନାଙ୍କ
ତୃତୀୟ ଭାବରେ ଗଣା
ପ୍ରଭାବତୀ ପିତା ବଜ୍ରନାଭ ସାଥେ
ଯୁଦ୍ଧ ହେଲା ତନାଘନା
ଶ୍ରୀକୃଷ୍ଣ ପରାୟ ଥିଲା ପ୍ରଦ୍ୟୁମ୍ନଙ୍କ
ଆକର୍ଷଣୀୟ ଚେହେରା
ମହାଭାରତ ଯୁଦ୍ଧ ଓ ଦ୍ୱାରିକାରେ
ଭୂମିକା ଥିଲା ନିଆରା
କାଳ କ୍ରମେ ସେହି ଯାଦବ ବଂଶରେ
ସଂଘର୍ଷର ସୂତ୍ରପାତ
ଆନ୍ତରିକ ପୁଣି ନିଶା ସେବନର
ପରିଣାମ କଳୁଷିତ
ସୁରା ଅବା ନିଶା ଦ୍ରବ୍ୟ ସେବନରେ
ଯାଦବ ଗୋଷ୍ଠୀ ସଂପୃକ୍ତ
ଭ୍ରଷ୍ଟାଚାର ବ୍ୟଭିଚାର ଦୁରାଚାର
ବ୍ୟାପକ ହେଲା ସର୍ବତ୍ର
ଆପଣା ବଂଶର ସଦସ୍ୟଙ୍କ ଦ୍ଵାରା
ପ୍ରଦ୍ୟୁମ୍ନ ହୋଇଲେ ହତ
ପ୍ରଦ୍ୟୁମ୍ନଙ୍କ ପୁତ୍ର ଘଟଣା ଚକ୍ରରେ
ଏକମାତ୍ର ହିଁ ଜୀବିତ
ପ୍ରେରଣା ଦାୟକ କାହାଣୀରେ ଭରା
ପ୍ରଦ୍ୟୁମ୍ନଙ୍କର ଜୀବନୀ
ବିବାହ, ବୀରତା, ଅଦ୍ଭୂତ ଘଟଣା
ସ୍ମୃତି ଭାବେ ଅଛି ପୁଣି
ପୁରାଣ ପୃଷ୍ଠାରେ ପ୍ରଦ୍ୟୁମ୍ନଙ୍କ କଥା
ଅନନ୍ୟ,ରୋମାଞ୍ଚକର
ଯାଦବ ବଂଶର ପତନ କାରଣ
ଅବଶ୍ୟ ହିଁ ଭ୍ରଷ୍ଟାଚାର