ସାଗରେ ଶାମୁକା,ବଗିଚାରେ ଫୁଲ
କନ୍ୟା,ବାପାଙ୍କର ପରୀ
କେତେ ଖେଳ କେତେ ଖୁସି ଅପ୍ରମିତ
ରତ୍ନ ପ୍ରାୟ ସର୍ବୋପରି
ସୁରକ୍ଷିତ ସେଇ ସାଗରର କୋଳ
ଖେଳ କ୍ଷେତ୍ର ଶାମୁକାର
ପରିବାର ମଧ୍ୟେ କନ୍ୟା ଖେଳେ ପ୍ରାୟ
ଫୁଲ ସମ ବଗିଚାର
ଅନିଚ୍ଛା ସତ୍ତ୍ୱେ ବି ଶାମୁକା ଓ କନ୍ୟା
ଛାଡି ସୁରକ୍ଷିତ କ୍ଷେତ୍ର
ଅତି ପରିଚିତ ପରିବେଶ ଭୁଲି
ଯିବାକୁ ହୁଏ ଅନ୍ୟତ୍ର
ଶାମୁକା ଓ କନ୍ୟା ଶୋଭା ପାଇଥାଏ
ସାଗର ଓ ମା କୋଳେ
ରୂପ ଗୁଣ ଯେବେ ଉଠଇ ମହକି
ମହକ ମର୍ତ୍ତ୍ୟ ମଣ୍ଡଳେ
କବି କଳ୍ପନାରେ ପ୍ରେମର ଝଲକ
ସାଗର ସାଥେ ଶାମୁକା
ବିହରି କଳ୍ପନା ପରିଧି ଭିତରେ
ମତାମତ ଭିନ୍ନ ଏକା
ନଗ୍ନ ଚିତ୍ର ଫୁଟି ଉଠେ କବିତାରେ
ପ୍ରେମୀ ସାଗର ଶାମୁକା
ମୋତିର ଉତ୍ପତ୍ତି କବି କଳ୍ପନାରେ
ପ୍ରେମର ସନ୍ତକ ଏକା
ସ୍ଵାତୀ ନକ୍ଷତ୍ରରେ, ଶାମୁକା ଗର୍ଭରେ
ଯେବେ ବର୍ଷାର ପତନ
ମୁକ୍ତାର ଉତ୍ପତ୍ତି ଭିନ୍ନ ଏକ ମତ
ବର୍ଷା ଜଳ ହିଁ କାରଣ
କାବ୍ୟ କବିତାରେ ପ୍ରେମର ଜୁଆର
ସାଗର ବୁକେ ଶାମୁକା
ଶାମୁକା ବିହୁନେ ସାଗର କହୁଛି
ତୋ ବିନା ମୁଁ ଏକା ଏକା
ଶାମୁକା ଶ୍ରେଣୀୟ ପଞ୍ଚଜନ୍ୟ ଶଙ୍ଖ
ସାଗର ମନ୍ଥନ ବେଳେ
କବିର ଭାବନା ସୁପ୍ତ କିମ୍ପା ଏଠି
କେଉଁ ଛତ୍ର ଛାୟା ତଳେ !!
ସାଗର ଅତଳ ଗର୍ଭରେ ଶାମୁକା
ପ୍ରବଳ ଲହରୀ ଧାରେ
ଅନିଚ୍ଛା ସତ୍ତ୍ୱେ ବି ହୁଏ ବିସ୍ଥାପିତ
କ୍ରମେ ବାଲୁକା ଶଯ୍ୟାରେ
ପର ମୁହୂର୍ତ୍ତରେ କାଳ କବଳରେ
କାଳ ରୂପୀ ଏ ମଣିଷ
ଶାମୁକା ଗର୍ଭରୁ ମୁକ୍ତା ନିଏ ଝାମ୍ପି
ଖୋଳପା ହିଁ ଅବଶେଷ
ସାଗର ଶାମୁକା ପ୍ରୀତି ବନ୍ଧନରେ
ଅତି ରଞ୍ଜିତ କାହାଣୀ
ଯଦି ପ୍ରେମ ପଥେ ବହୁ ଦୂରେ ଦୁହେଁ
କାହାଣୀରେ ମୋଡ ପୁଣି !!!
ମାନବିକତାର ଦ୍ୱାହି ଦେଇ କିମ୍ପା
ଶାମୁକା ଚିର ହରଣ
ପ୍ରେମିକା ଗଳାରେ ଠାକୁର ମଥାରେ
ମୁକ୍ତା କିମ୍ପାଇ ଲକ୍ଷଣ !!
ସାଗର କୋଳରେ ଖେଳୁ ସେ ଶାମୁକା
ବଗିଚାରେ ରହୁ ଫୁଲ
ଘର ଅଗଣାରେ ଖେଳୁ କନ୍ୟା ରତ୍ନ
ସେ ଖେଳ ଅମୂଲ ମୂଲ