ଚିନ୍ତା ଚେତନାରେ ଅମାନୁଷିକତା
ଭାବ ଯେବେ ହୃଦୟରେ
ନିର୍ଦ୍ଦୟତା ଭାବ ଜାଗି ଉଠେ ଆପେ
କ୍ରମଶଃ ହିଂସା ରୂପରେ
ନିର୍ଦ୍ଦୟ,ନିଷ୍ଠୁର ଅବା କ୍ରୁରତା ର
ବ୍ୟାଖ୍ୟା ହୃଦ ବିଦାରକ
ହିଂସା ଈର୍ଷା ଅବା ନୃଶଂସତା ପ୍ରାୟ
ସାରା ବିଶ୍ବରେ ବ୍ୟାପକ
ଯଦିଓ ସଭ୍ୟତା ବିକାଶ ପଥରେ
ସୀମା ଡେଇଁଛି କ୍ରୁରତା
ନୀରବତା ଭାଙ୍ଗି କହେ ପ୍ରତିଧ୍ୱନୀ
ନାହିଁ ସେ ମାନବିକତା
ଧର୍ମ ଅନୁଷ୍ଠାନ ଅନତି ଦୂରରେ
କ୍ରୁରତାର ପଦଚିହ୍ନ
ଜୀବଜନ୍ତୁଙ୍କର ମୃତ ଶରୀରକୁ
ଖୋଲା ଖୋଲି ପ୍ରଦର୍ଶନ
ଜୀବଜନ୍ତୁ ମୃତ ଶରୀରକୁ ଝୁଣି
ଖାଦ୍ୟ ରୂପରେ ଗ୍ରହଣ
କ୍ରୁରତାର ଦୃଶ୍ୟ କେତେ ଭୟାନକ
ସହଜରେ ଅନୁମାନ
ନିର୍ଦ୍ଦୟ,ନିଷ୍ଠୁର ଅତ୍ୟାଚାର ପ୍ରତି
ଅନ୍ୟ ଜୀବଜନ୍ତୁ ଅଜ୍ଞ
ଶ୍ରେଷ୍ଠ ଜୀବ ଭାବେ ମଣିଷ ପ୍ରାୟତଃ
କ୍ରୁରତା ଧାରେ ଅଭିଜ୍ଞ
ଘର,ମାଟି ପାଣି ପବନ ଭିତରେ
କ୍ରୁରତାର ପଦଧ୍ଵନୀ
ପ୍ରତିଧ୍ୱନୀ ପୁଣି ଘର ଅଗଣାରେ
ଶୁଭେ କରୁଣ ରାଗିଣୀ
ମାତୃତ୍ଵ ପୂର୍ବରୁ କନ୍ୟା ଥିଲା ଯିଏ
ହତ୍ୟା କରେ କନ୍ୟା ଭ୍ରୁଣ
ହୃଦୟେ କିପରି ନିର୍ଦ୍ଦୟ ଭାବନା
କନ୍ୟା ପରା ଏକ ରତ୍ନ !!
ପୋଷ୍ୟ ଜୀବଜନ୍ତୁ ପ୍ରତି ନିର୍ଦ୍ଦୟତା
ପ୍ରତିଯୋଗିତା ଆଳରେ
ମନୋରଞ୍ଜନ ର ମାଧ୍ୟମ ହେଉଛି
ଯାତ୍ରା, ମେଳା,ସର୍କସରେ
ଅଧିକ ଯୌତୁକ ଦାବି ଆଧାରରେ
ନବ ବଧୂ ନିର୍ଯାତିତା
ନାବାଳକ ଶିଶୁ ସହ୍ୟ କରୁଅଛି
ମାଲିକର ନିର୍ଦ୍ଦୟତା
ଜୀବେ ଦୟା ଆଉ ନାମରେ ସ୍ମରଣ
ବ୍ୟକ୍ତ ପ୍ରବଚନ ଧାରେ
ଆଧ୍ୟାତ୍ମିକ କ୍ଷେତ୍ରେ ଭାଗବତ ବାଣୀ
ଜ୍ଞାନୀ ପଣ୍ଡିତ ମୁଖରେ
ଅହଙ୍କାର ଶୁନ୍ୟ ହୃଦୟରେ ବିଜେ
ସତ୍ୟ,ଧର୍ମ,କ୍ଷମା,ଶାନ୍ତି
ଦୟା ଗୁଣ ଏକ ଅଳଙ୍କାର ସମ
ପ୍ରଶଂସନୀୟ ସମ୍ପ୍ରତି
ଦିବ୍ୟ ଜ୍ଞାନ ଶକ୍ତି ମଣିଷ ହୃଦରେ
ଅଛି ସୃଷ୍ଟି ଆରମ୍ଭରୁ
ଶ୍ରେଷ୍ଟ ଜୀବ ଭାବେ ମାନ୍ୟତା ମିଳିଛି
ସୃଷ୍ଟିକର୍ତ୍ତାଙ୍କ ମୁଖରୁ
ମାନବିକତାର ଭାବନା ସହିତ
ଦୟା ଗୁଣ ହୁଏ ବାରି
ଶତ୍ରୁ ହୁଏ ବଶ ପ୍ରେମ ଭାବ ଧାରେ
ଦୟା କ୍ଷମା ସର୍ବୋପରି
ଉଦାର ହୃଦୟ ଧାରେ କ୍ଷମା ଦାନ
ସମାଜରେ ଲୋକପ୍ରିୟ
ସେବା ସହ ପରୋପକାର ଧାରାରେ
ଦୟା ଗୁଣ ବି ବିଧେୟ
ହୃଦୟରେ ଦୟା କ୍ଷମା ଭାବ ବଳେ
ଯଦି ଜିଣି ହୁଏ ମନ
କାହିଁକି ମଣିଷ ହେଉଛି ନିର୍ଦ୍ଦୟ
ଜାଣି ହିତାହିତ ଜ୍ଞାନ..??