ଜୀବନର ରଙ୍ଗ
ଜୀବନର ରଙ୍ଗ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଲୋକ ଦେଖାଣିଆ ଦୁନିଆ ଆଗରେ
ମୁଁ ନୁହେଁ ପାତ୍ର ଚର୍ଚ୍ଚିତ,
ଭାବି ମୁଁ ପାରେନି ଚାହିଁ ବି ହୁଏ ନି
ଗାଇବାକୁ ନିଜ ଗୀତ !
ମୋ' ନିଜ ଗୀତ ବି ମୋ' ଅଧୀନ ନୁହେଁ
ବରଂ ନିର୍ଭୀକ,ନିଃସ୍ୱାର୍ଥ,
ନିଜସ୍ୱ ଭିତ୍ତିରେ ଛନ୍ଦ ଲୟ ତୋଳି
ସୁର ଯୋଖେ ଅବିରତ ।
ଅନ୍ୟର ଦୁଃଖକୁ ସାଉଁଟି ସାଉଁଟି
ନିଜ କଥା ଯାଏ ଭୁଲି,
ଜାଣି ବି ପାରେନା କେତେବେଳେ ତା'ର
ଆତ୍ମସତ୍ତା ଯାଏ ଚାଲି ।
ବେଦନା ବଳୟ ଭିତରେ ରହି ବି
ନୁହେଁ ତ ସ୍ୱାର୍ଥକୈନ୍ଦ୍ରିକ,
ସ୍ୱତନ୍ତ୍ର ସୁରରେ ତା' ସଂସାର ଗଢ଼େ
ହୋଇ ସମାଜ ପ୍ରତୀକ ।
ମୋ' ଜୀବନ ରଙ୍ଗ ଏକାନ୍ତ ନିଃସଙ୍ଗ
ସାଥୀ ଥାଇ ସାଥୀହରା,
ଯେଉଁଠି ଯାଉଛି ସେଇଠି ମିଳୁଛି
ବୈଶାଖ ବହଳ ଖରା ।
ପ୍ରସିଦ୍ଧିର ଦୌଡ଼ ପ୍ରତିଯୋଗିତାରେ
ଧାଡି ଧାଡି ମହାରଥୀ,
ମୁଁ ମାତ୍ର ନଗଣ୍ୟ ଗୁଣଜ୍ଞାନହୀନ
ସାଧାରଣ ମୋର ସ୍ଥିତି ।
ଜାଣେନା ସେ ଦିନ ଆସିବ କି ନାହିଁ
ସଭ୍ୟ ତାଲିକା ପୃଷ୍ଠାରେ,
ହେବି ଗଣନୀୟ ଅଭାବନୀୟ ମୋ'
ଦୈନନ୍ଦିନ ଜୀବନରେ !
ସଭ୍ୟ ହେବା ପାଇଁ ଆଜିର ସଭ୍ୟତା
ପ୍ରତାରଣା ପୋଷାକରେ,
ନିଜକୁ ସଜେଇ ମିଛକୁ ଭିଜେଇ
ହସ ବାଣ୍ଟେ ଛଳନାରେ ।
ଶ୍ରୀକୃଷ୍ଣ ହସକୁ ଶକୁନି ହସରେ
ଚାଣକ୍ୟ ଶାସ୍ତ୍ର ଭିତ୍ତିରେ,
ସାମୟିକ ସନ୍ଧି କରିବାକୁ ହୁଏ
ଭଦ୍ରାମି ବ୍ୟାଖ୍ୟା ଆଳରେ ।
ସଂଜ୍ଞାରେ ଶିଥିଳ ପ୍ରଜ୍ଞାରେ ପଙ୍କିଳ
ଅନାମଧେୟ ଅମର୍ଷ
ତୋଷାମଦ କରି କିଣି ନେଇଥାଏ
ସଭ୍ୟ ହେବାର ଉତ୍କର୍ଷ ।
ଲୋକ ଦେଖାଣିଆ ହେବି ମୁଁ କାହିଁକି
ମିଛ ପ୍ରତ୍ୟାଶାକୁ ଚାହିଁ,
ଆଶାର ଆଲୋକ ବାଣ୍ଟି ଚାଲିଥିବି
ଘନ ଅନ୍ଧକାରେ ରହି ।