ଜୀବନର ଗତି
ଜୀବନର ଗତି
ମଣିଷଜୀବନ ଏମିତି ସୃଜନୀ
ନାହିଁତାର ପଟାନ୍ତର
ସ୍ନେହ ପ୍ରେମ ଭରା ହୃଦୟଟେ ତାର
ସହାନୁଭୂତିର ଝର |
ଅସୀମ ଧଇର୍ଯ୍ୟ ଦେହେ ତା ରହିଛି
ପଡ଼େନାହିଁ କେବେ ଥକି,
ଆସୁଯେତେ ଝଡ଼ ହାରିନାହିଁ କେବେ
ଇତିହାସ ଅଛି ସାକ୍ଷୀ |
ପ୍ରକୃତିକୋଳରେ ହସିବୁଲି ଖେଳେ
ପର୍ବତ କାନ୍ତାର ଲଙ୍ଘି,
ଶ୍ୟାମଳ ସୁଷମା ଦେଖି ସମ୍ମୋହିତ
ମନେ ଖୁସି ଯାଏ ଜାଗି |
ଦିଗନ୍ତବିସ୍ତାରି ସମୁଦ୍ର ବକ୍ଷରେ
ଆନନ୍ଦରେ ଭାସିବୁଲେ,
ନୀଳଆକାଶର ବାଦଲ ଭିତରେ
ଉଡି ଲୁଚକାଳି ଖେଳେ |
ଆଦିମମଣିଷ ଜଙ୍ଗଲ ମଧ୍ୟରେ
ଦିନେ ଦିନ କାଟୁଥିଲା,
ଆଜିର ସଭ୍ୟତା ନିଜେ ସେ ଗଢିଛି
ବହୁକାଳ ଲାଗିଗଲା |
କେତେ ରାଜା କେତେ ମହାରାଜା ପୁଣି
ଶାସନ ଚଳାଉଥିଲେ,
କେତେ ଧର୍ମ କେତେ ବିଭାଜିତ ଜାତି
ସଂସ୍କୃତି ଯେ ଗଢିଗଲେ |
ଜୀବନେ ଦେଖିଛି କେତେ କେତେ ଯୁଦ୍ଧ
ଦୁଇ ବିଶ୍ୱ ମହାଯୁଦ୍ଧ,
ଦେଖିଛି ମରଣ ଭୋଗିଛି ଯନ୍ତ୍ରଣା
ହୋଇଛି ଭୀଷଣ କ୍ଷୁବ୍ଧ |
କେତେ ଯେ ସାମ୍ରାଜ୍ୟ ଧ୍ବଂସ ହୋଇଛି
ନୀରବେ ଦେଖିଛି ସିଏ,
ତଥାପି ବଞ୍ଚିଛି ବଞ୍ଚିବି ରହିବ
ଜୀବନର ଗତି ଇଏ |
ପ୍ରାକୃତିକ ଝଡ଼ ଆସିଛି ଜୀବନେ
ବନ୍ୟା ମହାବାତ୍ୟା କେତେ,
ହୂଏ ଭୂମିକମ୍ପ ପାହାଡ଼ ସ୍ଖଳନ
ସମୁଦ୍ର ସୁନାମି ଯେତେ |
ତଥାପି ଜୀବନେ ଧୈର୍ଯ୍ୟ ଅବିଚଳ
ରଖିଛି ସିଏ ସାଇତି,
ଧ୍ବଂସ ଦେଖୁଛି ଜନମ ଦେଖୁଛି
ଦୁର୍ବାର ତାର ଗତି |
କେତେ ମହାମାରୀ କେତେ ଦୁରୁଭିକ୍ଷ
ଆସିଛି ଜୀବନେ ମାଡି,
ସାଥି ସହୋଦର ଆତ୍ମୀୟ ସ୍ୱଜନ
ଯାଇଛନ୍ତି ତାକୁ ଛାଡି |
ଭଗ୍ନ ହୃଦୟରେ ଅଶ୍ରୁ ଝରାଇଛି
ଛାଡ଼ିନି ଜୀବନ ମୋହ,
ନୂତନ ସୃଜନେ ମଗନ ହୋଇଛି
ପଥର କରି ସେ ଦେହ |
ଗଢିଛି ସେ ଗୀର୍ଜା ଗଢିଛି ମନ୍ଦିର
ମନୋହର ଅଟ୍ଟାଳିକା,
କେତେ ଯେ ସହର ସୁନ୍ଦରୁ ସୁନ୍ଦର
କେତେ କୀର୍ତ୍ତି ସ୍ମରଣିକା |
କେତେ ପ୍ରେମଗାଥା ସାହିତ୍ୟ ସର୍ଜ୍ଜନା
ତିଆରିଛି ସୁସଂସ୍କୃତି,
ପ୍ରୀତିର ସ୍ମାରକୀ ଭାସ୍କର୍ଯ୍ୟ ସୁନ୍ଦର
ଜୀବନର ମଧୁଗୀତି |
ଚନ୍ଦ୍ର ଅଭିଯାନ ମଙ୍ଗଳକୁ ଯାତ୍ରା
ମହାକାଶେ ଉପଗ୍ରହ,
ଜ୍ଞାନ ବିଜ୍ଞାନରେ ଗବେଷଣା କୃତେ
ଲଭୁଅଛି ସଦା ଜୟ |
ଏବେ ଗ୍ରାସିଅଛି କରୋନାର ଭୟ
ସଂକ୍ରମିତ ଦେଶେ ଦେଶେ,
ତଥାପି ମଣିଷ ଜିତିବ ନିଶ୍ଚୟ
ହାର ନାହିଁ ଇତିହାସେ |