ଜୀବନପଥ
ଜୀବନପଥ


ଜୀବନର ପଥ ସରଳ ସୁଗମ
ହେଉ ଅବା ପ୍ରତିକୂଳ
ଜୀଇଥିବା ଯାଏ ଚାଲିବାକୁ ହେବ
ଅବିଶ୍ରାନ୍ତ ନିରନ୍ତର ।
ବାଧା ଓ ବନ୍ଧନ ଘାତ ପ୍ରତିଘାତ
ଜୀବନେ ଆସେ ବହୁତ
ଧୈର୍ଯ୍ୟର ସହିତ ହେବା ସମ୍ମୁଖୀନ
ହେବା ନାହିଁ ଭୟଭୀତ ।
ଯେତିକି ସୁନ୍ଦର ଦିଶିଥାନ୍ତି ଲୋକେ
ଚେହେରାରେ ବାହାରକୁ
ସେମିତି ସର୍ବଦା ଭିତରେ ସୁନ୍ଦର
ମିଳେ କଷ୍ଟେ ଦେଖିବାକୁ ।
ଏକାକୀ ଶିଙ୍ଗରେ ମାଟି ସବୁ ତାଡି
ଚଷି ହେବ ନାହିଁ ପୃଥ୍ୱୀ
ଗାଲୁଆମି କଥା ରାତିକ ସପନେ
ବାନ୍ଧି ହୁଏ ପୁଣି ହାତୀ ।
ଜ୍ଞାନ ଗରିମାରେ ଅତି ହୁସିଆର
ହେବା ନୁହଁ ବଡ଼ କଥା
ପ୍ରୟୋଗ ଉଚିତ ଧୈର୍ଯ୍ୟ ବିବେକ
ପ୍ରତ୍ୟୁତ୍ପନ ବୁଦ୍ଧି ମତ୍ତା ।
ବୁଝିବାକୁ ହେବ ଅନ୍ୟର ହୃଦୟ
ମନକଥା ମନ ବ୍ୟଥା
ତେବେ ସିନା ଯାଇ ହୋଇବା ଉତ୍ତୀର୍ଣ୍ଣ
ସଫଳ ହେବ ପରୀକ୍ଷା ।
ନୟନର ଜ୍ୟୋତି ପ୍ରାୟେକ ଅଟନ୍ତି
ପ୍ରିୟ ଜନ
ନିଜ ଲୋକ
ଥିଲେ ଯେତେ ଦୂରେ ଭାବନା ସଂଯୋଗେ
ଲାଗେ ନିକଟ ପ୍ରାୟେକ ।
ରାଗ ଅଭିମାନ ଯେତେ ରହିଥାଉ
ସୋହାଗ ଥାଏ ଅନ୍ତରେ
ଉପରକୁ ଥାଏ ମୁହଁ ଟାଣ ସିନା
ମନଟା ଦୁର୍ବଳ ଝୁରେ ।
ମୁହଁ ଟି ଉଜ୍ଜ୍ବଳ ଦିଶେ ହସହସ
ଯେତେ ବାହାର ଲୋକଙ୍କୁ
ସ୍ୱଜନ ସଂପ୍ରୀତି ବିନା ଶୂନ୍ୟ ପଣ
ନିନ୍ଦେ ନିଜ କପାଳକୁ ।
କାନ୍ଦେ ଭାବ ବଶ ଶୟନେ ଉଦାସ
କହେନାହିଁ ମୁହଁ ଖୋଲି
ଝୁରି ମରେ ପଛେ ଭିତର ଅନ୍ତରେ
କହେ ଲୋଡା ନାହିଁ କିଛି ।
ମୁହଁ ରେ ଗାମ୍ଭୀର୍ଯ୍ୟ ନୀରବ ନିଶ୍ଚଳ
ବାହାରକୁ ଦିଶିପାରେ
ଅନ୍ତରେ ଝଡର ଈଗଲ ଝପଟେ
ବ୍ୟଥା ଉର୍ମି ସାତ ତାଳେ ।
ଠିକ୍ ଅଛି ସବୁ କହେ ଯେ ତୁମକୁ
ଅବଦମି ନିଜ ଦୁଃଖ
ତା ମନ ବ୍ୟଥାରେ ହୁଅ ସହଭାଗୀ
ସିଏ ଆପଣାର ଲୋକ ।
ବିଚିତ୍ର ସଂସାର ଫଳ ଛାୟା ବୃକ୍ଷ
ଲୋକ ମନୋଦଶା ଗତି
ମିଳେ ସ୍ନେହ ଶ୍ରଦ୍ଧା ଅତୁଟ ଦୁର୍ଲ୍ଲଭ
ସୁପଥରେ ରିଦ୍ଧି ସିଦ୍ଧି ।