ଜୀବନ
ଜୀବନ
ଆଖିରେ ଵସା ଵାନ୍ଧିଥିବା ସ୍ୱପ୍ନ ସବୁ,
ଲୁହ ହୋଇ ଝରିଗଲା ପରେ,
ହୃଦୟରେ ସୃଷ୍ଟି ହୁଏ ମଶାଣିର ଶୁନ୍ୟତା ।
ଓଠରେ ଲାଖିଥିଵା ହସ ଚେନାଏ,
ମଉଳି ଯାଏ ବାସିଫୁଲ ପରି ।
ବୁଝେଇ ହୁଏନା ଅବୁଝା ମନକୁ,
ଅଝଟ ଶିଶୁଟିଏ ଭଳି ସେ,
ମାଗିବସେ ଦୂର ଆକାଶର ଜହ୍ନ ।
ଫିଟିଯାଏ ଅନେକ ଅଡ଼ୁଆ ସୂତାର ଖିଅ,
କଣ୍ଟାଵଣରୁ ଖୋଜିବାକୁ ହୁଏ,
ପ୍ରିତୀର ସୁନାଫୁଲ ।
ନିଛାଟିଆ ଖରାଵେଳ ପରି,
ହାହାକାର କରିଉଠେ ଜୀବନ ।
ମରିଚୀକା ପଛରେ ଧାଇଁ ଧାଇଁ,
ସରିଯାଏ ଦେହ ଆଉ ମନର ବଳ ।
ଭାଙ୍ଗିରୁଜି ଯାଏ ହୃଦୟର ସିଲଟ,
ଲୁହ ଆଉ କୋହର ଫେଣ୍ଟା ଫେଣ୍ଟି,
ମେଞ୍ଚାଏ ବହଳର ଅନ୍ଧାରରେ,
ଲେଖାହୁଏ ସୁଖର ଇସ୍ତାହାର ।
ଝରା ଶେଫାଳିର ହସ ଭଳି,
ସରିଯାଏ ସମୟର ଆୟୂଶ ।
ମନର ଫରୁଆରେ ସାଇତା ହୁଏ,
ଆଶା ଆଉ ନିରାଶାର ଅଦେଖା ପଦଚିହ୍ନ ।
ତଥାପି ଗୋଟେ ଫୁଲେଇ ଝିଅପରି,
ଖିଲି ଖିଲି ହସୁଥାଏ ଜୀବନ,
ଆଉ ତୋଳୁଥାଏ ସ୍ୱପ୍ନର ପାରିଜାତ.....।