ସପନେ ହସୁଛି ସପନ ରାଣୀ
ସପନେ ହସୁଛି ସପନ ରାଣୀ
ସପନେ ହସୁଛି ସପନ ରାଣୀ ମନ ତାର ଖୋଲି,
ନିଦ ଅଳସରେ ବାସ୍ତବତାକୁ ସେ ଯାଇଛି ଭୁଲି।
ଭାଙ୍ଗିଲେ ନିଦ ସପନର ହସ ହୋଇ ପାରେ ଲୁହ,
ଲୁହେ ଭାସି ହଜିଲେ ଖୁସି ଛାତିରେ ରହେ କୋହ।
ସପନ ଆସେ ରାତିର ଅନ୍ଧାରରେ ଛପି ଛପି ଏକା,
ଚାଲି ଯାଏ ହଠାତ୍ ନ ବୁଝି କିଛି ଦେଇ ଯାଏ ଧୋକା।
କିଏ ସେ ଜାଣେ କାହା ଭାଗ୍ୟରେ କଣ ଅଛି ଲେଖା,
ଜୀବନଟା ଏଠି ସବୁବେଳେ ଲାଗେ ଅଗ୍ନି ପରୀକ୍ଷା।
କଥା ମଧୁର ନ ହେଲେ ସତ ଆଖିରୁ ଝରେ ପାଣି,
ଜଳେ ହୃଦୟ ମଳିନ ପଡେ ମୁହଁ ପରକଥା ଶୁଣି।
ମନ ରଖି ସଫା ଭଲ କାମ କଲେ ହୁଏ ଜଗତ ଜିଣି,
ସୁଖର ଶୟେନେ ସପନେ ହସୁଛି ସପନ ରାଣୀ।
ସପନକୁ ସତ କରିବା ପାଇଁ ଲୋଡ଼ା ଶ୍ରମ ସାଧନା,
କଲେ ଅବହେଳା ମିଛ ହୁଏ ସବୁ ଲାଗେ ପ୍ରବଞ୍ଚନା।
ସପନ ରାଇଜେ ଦରିଦ୍ର ପ୍ରଜା ନାହିଁ ତ କେହି ଜଣେ,
ଫକୀରଟିଏ ବି ହୁଏ ରାଜା କି ରାଣୀ ଆପଣା ପଣେ।
ବାସ୍ତବ ଦୁନିଆଁ ହସ ଲୁହ ଭରା ମାୟାର ବନ୍ଧନ ଏଠି,
ଖସିଲେ ଗୋଡ଼ ପଡ଼େ ଗଡ଼ି ସହଜେ ପାରେନା ଉଠି।
ଲକ୍ଷ୍ୟ ରଖି ଚାଲୁଥିଲେ ବାଟ ମିଳି ଯାଏ ଠିକ୍ ଠିକଣା,
ମିଛର ସଂପର୍କ ତୁଟି ଯାଏ ଶିଘ୍ର ଦିଏ ସେ ପ୍ରତାରଣା।
ପବିତ୍ର ମନ ନିଷ୍ପାପ ପ୍ରାଣ ଓଠେ ଦିଏ ଯେଉଁ ହସ,
ସେ ଚିରନ୍ତନ ଶାନ୍ତି ତୃପ୍ତି ଦାୟକ ଜୀବନର ବିକାଶ।
ସେବା ତ୍ୟାଗେ ଅସାଧ୍ୟ ହୁଏ ସାଧନ ହୁଏ ସବୁ ଜିଣି,
ଯଶ ସୁନାମ ସୁକୀର୍ତ୍ତ ଗୌରବ ଏକ ଏକ ମଣି।
ଏ କଥା ନ ଚିନ୍ତି ଆରାମେ ଚେଇଁ ରହିଲେ ନ ଶୁଣି,
ବିଦ୍ରୁପ କରି କହିବେ ସପନେ ହସୁଛି ସପନ ରାଣୀ।

