ଜୀବନ
ଜୀବନ
ସାଉଁଟା ସ୍ୱପ୍ନର ଭଗ୍ନ ବାଲିଘର
ଉବୁଟୁବୁ ସମ୍ପର୍କର ଆର୍ତ୍ତ ଚିତ୍କାର
ଦାମୀ ଶଯ୍ୟା ପରେ ଆକୁଳ କ୍ରନ୍ଦନ
ପାଇବାକୁ କ୍ଷଣେ ମାତ୍ର ସୁଖର ସପନ।
ପିତୃ ଅର୍ଜିତ ଜମି ଚାଖଣ୍ଡରେ
ଯାଏ ବହି ଲୋହିତ ରକ୍ତର ଧାର
ପ୍ରାଣ ପ୍ରିୟ ଭାଇ ସାଜେ
ଧନୁର୍ଦ୍ଧର ମହାଭାରତର ।
ସାହାଯ୍ୟର କ୍ଷୁଦ୍ର କଣିକା ସମୂହ
ଭାସିଯାଏ ସାଜି ମହାଦ୍ରୁମ
ସୂକ୍ଷ୍ମ ଏକ ମହାବାକ୍ୟେ
କର୍ତ୍ତବ୍ୟ ନାମରେ ସମୟ ସ୍ରୋତରେ।
ହାତର ପାଉଣା ହୋଇଲେ ନୀରବ
ସମ୍ବୋଧନ ଆସେ ଫେରି
ହୋଇ ବୁମେରାଂ ଶାଣିତ ଶବ୍ଦର
ସମୟର ଅଗ୍ନି କୁଣ୍ଡେ
ପଡିଯାଏ ଜୀବନ ଆହୁତି।
ସିକ୍ତ ମନର ତିକ୍ତ ଅନୁଭୂତି
ଯନ୍ତ୍ରଣାର ଜଉଘର
ସାଗର ଉର୍ମିର କର୍କଶ ପ୍ରହାର
ଏହି ବୋଧେ ଜୀବନର ଶେଷ ଉପହାର।
