ଜୀବନ
ଜୀବନ
ଜୀବନ ନୁହଁଇ ଫୁଲର ଗାଲିଚା
ଆନନ୍ଦରେ ଚାଲିହୁଏ
ମଜା ଲାଗିଥାଏ ବେଳେ ବେଳେ ଯଦି
କଣ୍ଟାର ଆଘାତ ପାଏ ।
ଜୀବନ ପଥରେ କେତେ ଖାଲ ଢିପ
ଯିଏ ଚାଲେ ସିଏ ଜାଣେ
ଅକୁହା କାହାଣୀ ଅଦେଖା ସପନ
ଅଲେଖା କବିତା ମଣେ ।
ନଈ ପରି ଦିଶେ ଅତି ମନଲୋଭା
ପାଶେ ଗଲେ ମରୀଚିକା
ନୀଳ ଅମ୍ବର ଯେ ଶୂନ୍ୟତାର ଖେଳ
ମନ ପଡ଼ିଯାଏ ଫିକା।
ଭଙ୍ଗା ଆଇନର ପ୍ରତିଛବି ପରି
ଜୀବନ ତ ଭାଗ ଭାଗ
କାଣିଚାଏ ସୁଖ ସନ୍ଧାନ ପାଇଁକି
ବିତିଲାଣି କେତେ ଯୁଗ ।
ଜୀବନ ଅଟଇ ଅଛିଣ୍ଡା ଗଣିତ
ଚକୋରୀର ତୃଷ୍ଣା ଜଳ
ନିରିମୂଳୀ ଲତା ଗଣ୍ଠିପକା ସୂତା
ଓଲଟା ଘୂରିବା କଳ ।
ଛକାପଞ୍ଝା ଖେଳ ଜୀବନ ଅଟଇ
ସୁଖ ଦୁଃଖ ଭାଇ ଭାଇ
ନୀଳକଣ୍ଠ ପରି ଜୀଇବାକୁ ହୁଏ
ସଂସାର ଗରଳ ପିଇ ।
ନିହାଣ ମୁନର ଶକ୍ତ ସେ ଆଘାତ
ଜୀବନ ତ ସହିଥାଏ
ତେବେ ସିନା ଯାଇ ବିକୃତ ପଥର
କୋଣାର୍କର ରୂପ ନିଏ ।
ପ୍ରତିକୂଳ ସ୍ରୋତେ କାତ ଧରି ପୋତେ
ଚତୁର ସେ ମଙ୍ଗୁଆଳ
ଅଥଳ ଦରିଆ ପାରି ହୋଇଥାଏ
ଲଗାଇଣ ସବୁ ବଳ ।
ଅତୀତକୁ ଝୁରି ବର୍ତ୍ତମାନେ ମରି
ଭବିଷ୍ୟତ କାହିଁ ଖୋଜ
ଅମୂଲ୍ୟ ସମ୍ପଦ ବର୍ତ୍ତମାନ ତୋର
ଏ କଥାକୁ ଟିକେ ହେଜ।