ଜୀବନ
ଜୀବନ
ହସ ଖୁସି ଭରା ଟିକେ ଛାଇ ଖରା
ଅଢେଇ ଦିନର ଜୀବନ
ପାନ୍ଥ ଶାଳା ଖୋଲା ବାଟ ଦୂର ହେଲା
କାହିଁକି ଏତେ ଅଭିମାନ ।୧।
କାଲି ଯିଏ ପର ଆଜି ଆପଣାର
ଭାଇ ହେଇଗଲା ଭଗାରି
ଆଖି ଥାଇ ଅନ୍ଧ ହେ ନର କ।ମ।ନ୍ଧ
ସଭିଏ ପ୍ରେମର ଭିକାରି ।୨।
ବସନ ଖଣ୍ଡକ ଲଜ୍ୟାର ରକ୍ଷକ
କର ପାରିବନି ଉଠାଇ
ତୋ ଅତି ନିଜର ପୁତ୍ର ପରିବାର
ସାଥେ ନ ଜିବେଟି ଗୋଡ଼ାଇ।୩।
ଖୋଲା ଆକାଶ ର ଖରା କି ଶିଶିର
କୁଟୀର ତଳର ଜୀବନ
ଭୋକିଲା ପେଟରେ ଗରିବ ରାତିରେ
ଉପାସେ କଟେ ସାରା ଦିନ ।୪।
ବଞ୍ଚିବା ଟା କଷ୍ଟ ଭବିଷ୍ୟତ ନଷ୍ଟ
ରକ୍ଷକ ନାମରେ ଭକ୍ଷକ
ନିଜ ପାଇଁ ନିଜେ ସୁରକ୍ଷା ତୁ ଖୋଜେ
ଆଗ ପଛ ତୋର ତକ୍ଷକ ।୫।
ପାର୍ଥିବ ସମ୍ପତି ବିନାଶ ଉତ୍ପତ୍ତି
ତାହା ପାଇଁ ମହାଭାରତ
ଯା ପାଇଁ ଜନମ ଭୁଲି ବିଭୁ ନାମ
ପ୍ରତିଜ୍ଞା ଭାଙ୍ଗିଲୁ ତୁରିତ ।୬।
ସମ୍ପତି ପିରତି ନହେବେ ତୋସାଥି
ଅଲୋଡ଼ା କୁଟୀର ମହଲ
ଯିଏ ତୋର ପର ପାଖେ ଥିବେ ତୋର
ଅର୍ଜି ଥିଲେ ତାହାକୁ ଭଲ।୭।
କ।ନ୍ଧ ରେ ଉଠାଅ ଦୁର୍ଗତି ହଟାଅ
ଲୋଡା ପଡ଼ିବନି କୋକେଇ
ମରି କି ଜିଁଇବ ଚନ୍ଦ୍ର ସୂର୍ଯ୍ୟ ଥିବ
କାଳ ନେଇଯିବ କୋଳେଇ ।୮।
ସଭିଙ୍କୁ ନିଜର କରିଲେ କୁମାର
ବଞ୍ଚିବା ହେବ ସହଜ
ସ୍ଵର୍ଗ ଅନୁଭୂତି ମରତେ ଉତ୍ପତ୍ତି
ଲଭିବୁ ଏଇଠି ଆଜ।୯।
କା ପାଇଁ ଜୀବନ ଅମୃତ ସମାନ
କାହା ପାଇଁ ଅଭିଶାପ
ଅନ୍ନ ପାଇଁ କିଏ ଭିକ ମାଗି ଖାଏ
କିଏ କରେ ଅନୁତାପ ।୧୦।
ହସ ଖୁସି ଭରା ଟିକେ ଛାଇ ଖରା
ଅଢେଇ ଦିନ ଜୀବନ
ଗଲା ବେଳେ ସାଥେ ଖାଲି ଥିବ ହାତେ
ସଂଘର୍ଷ ମାନେ ହିଁ ଜୀବନ
ସଂଘର୍ଷ ମାନେ ହିଁ ଜୀବନ...।୧୧।
.........×××.........
