ଜୀବନ
ଜୀବନ
ଶୈଶବ,କୈଶର, ଯୌବନ, ବାର୍ଦ୍ଧକ୍ୟ ଏଇତ ଜୀବନ ପ୍ରଥl
ଗୋଟେ ପରେ ଗୋଟେ ଅତିକ୍ରମ କରି ଶିଖୁ କେତେ ନୂଆ କଥା ।
ବାର୍ଦ୍ଧକ୍ୟ ଅଟଇ ଶିଖର ଜୀବନେ ଶୈଶବ ତାର ଆରମ୍ଭ
ଭୁଲିକି ହବ ସେ ଶୈଶବର ସ୍ମୃତି ଖୁସି ଭରା ତାର ପ୍ରାରମ୍ଭ ।
ଅଚିନ୍ତାର ଦିନ କାଟୁଥିଲୁ ଆମେ ହସିଖେଳି, ନାଚି, ଗାଇ
ସାଙ୍ଗସାଥି ମେଳେ ସ୍ନେହ, ପ୍ରେମ ପୁଣି ଭାଇଚାରା ଥିଲା ତହିଁ ।
କୈଶର ଅଟଇ ଦ୍ୱିତୀୟ ପାହାଚ ଅସ୍ଥିର ହୁଅଇ ମନ
ସ୍ୱାଧୀନତା ପାଇଁ ଘରେ ଆସି କେତେ କରୁଥିଲୁ ଯେ ଉଚ୍ଛନ୍ନ ।
ଯୌବନ ଆସଇ ଶୀତଳ ସମୀରେ ଦେହକୁ ମୋ ଛୁଇଁ ଦେଇ
କଳାମେଘି ବର୍ଷା ଛୁଇଁ ଦେଇ ଗାଲେ ପ୍ରିୟା ନାଁ ଯାଏ କହି ।
ଦେହେ ଶିହରଣ ଖେଳିଯାଏ ମୋର ପ୍ରିୟାର ମଧୁର ସ୍ପର୍ଶେ
ଗ୍ରାହସ୍ଥ ଜୀବନ କାଟୁଥାଏ ସିନା ଦୂରରୁ ବାର୍ଦ୍ଧକ୍ୟ ଦିଶେ ।
କୈଶର, ଯୌବନ ମଝି ଦେଇ ଗଲେ ପ୍ରୌଢ଼ ଅବସ୍ଥା ଯେ ପଡେ
ଏହି ଅବସ୍ଥାରେ ଯୌବନ ବୃକ୍ଷରୁ ଅଦିନେ ପତ୍ର ବି ଝଡେ ।
ବାର୍ଦ୍ଧକ୍ୟ ଆସଇ ସବୁଠାରୁ ଶେଷେ ଅବସର ନିଏ ଅଙ୍ଗ
ଥୁଣ୍ଟା ବରଗଛ ଛିଡାହୋଇ ଦେଖେ ପରିବର୍ତ୍ତିତ ସେ ରଙ୍ଗ । ।
ଭାବୁଥାଏ ପୁଣି ପକ୍ଷୀ ବସା ଥିଲା ଏଇ ମୋ ସବୁଜ ଡାଳେ
ଥୁଣ୍ଟା ହେଲି ବୋଲି ଛାଡି ଚାଲିଗଲେ ଫେରିଲେନି ଏହିକାଳେ ।
ଆଜି ମନେପଡେ ଶୈଶବ, ଯୌବନ, ବାର୍ଦ୍ଧକ୍ୟର ସେଇ ବ୍ୟଥା ,
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଏଇତ ଜୀବନ କଥା ।