STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଜୀବନ ଓ ବୟସ "

"ଜୀବନ ଓ ବୟସ "

1 min
57

ଏଇ ମହାକାଳ ବକ୍ଷରେ 

ସମୟର ନିଃଶବ୍ଦ ନୀରବତା ଭିତରେ 

ଶୂନ୍ୟତାର ବଳୟକୁ ଭେଦି 

ରାତିର ବୟସ ବଢିଚାଲିଲାପରି 

ବଢିଚାଲିଛ ଏ ଜୀବନର ବୟସ 

ଅନେକ ଆଶା,ଅବଶୋଷ, କାମନା ଆଉ ବାସନାର 

ପଥ ଅତିକ୍ରମ କରି l

ଯାବତୀୟ କର୍ମର ଝିନଝଟା ଭିତରେ 

ଦିନସବୁ ସରିଯାଏ ଆଖି ପିଛୁଳାକେ ହାତ ପାହାନ୍ତାରେ 

ରୋଗ-ଶୋକ, ଜରା-ବ୍ୟାଧିର ଧକ୍କା ଖାଇ ଖାଇ 

ବିବଶ ହୋଇପଡେ ଏ ଶରୀର 

ନଦୀ ଦୁଇ କୂଳକୁ ଖାଇଲାପରି 

କ୍ଷୀଣ ହୋଇଚାଲେ ଏ ଜୀବନର ଆୟୁଷ 

ବୟସର ଛାପ ବାରି ହୋଇପଡେ 

ଗଛରୁ ପତ୍ରଝଡା ଦେଲାପରି 

ଚିନ୍ତା ଖାଇଚାଲେ ଏ ଶରୀର ଗଣ୍ଡିକୁ 

ଲୁଣ, ମାଟି ହାଣ୍ଡିକୁ ଖାଇଲାପରି l

ସ୍ୱପ୍ନର ସୌଧ ଗଢୁ ଗଢୁ ଚୁଟି ପାଚିଯାଏ 

ମୁରୁକା ହସଟିଏ ହସିଦେଇ ଚାଲିଯାଏ ପିଲାଦିନ 

ପାହାଚ ପରେ ପାହାଚ ଡେଇଁ କୈଶୋର-ଯୌବନ 

ହଠାତ ମାଡିଆସେ ଅଦିନିଆ ଝଡ଼ 

ଭାଙ୍ଗି ଦେଇ ଯାଏ ଆଶାର ମେରୁଦଣ୍ଡ 

ପୁଣି ଅଣ୍ଟା ସଳଖି ଠିଆ ହେଲାବେଳକୁ 

ଚାଲିଯାଇଥାଏ ଗୋଟାଏ ଯୁଗ 

ତଥାପି ଏ ଜୀବନ ଅଣ୍ଟା ଭିଡ଼େ 

ସବୁ ଦୁଃଖ, ସବୁ କଷ୍ଟ,, ଯାତନାକୁ ଭୁଲି 

ପୋଛିଦେଇ ଆଖିର ଲୁହକୁ 

ପୁଣି ଥରେ ଆରମ୍ଭ କରେ 

ସମ୍ଭାବନାର ସାହସ ବାନ୍ଧି 

ମାଡିଚାଲେ ଆଗକୁ ଆଗକୁ 

ଅନ୍ଧକାରରେ ବାଡ଼ି ବୁଲେଇଲାପରି 

ନୂଆ ଆଶା ନୂଆ ମନ ନେଇ 

ନିଜର ଲକ୍ଷ୍ୟସ୍ଥଳରେ ବିଜୟର ପତାକା ଉଡ଼ାଇବାକୁ l

ୟାରି ଭିତରେ ସଫଳତାର ଇତିହାସ ରଚୁ ରଚୁ 

ଆଉ ସେଇ ସଫଳତାର ମୂଲକୁ ଉପଭୋଗ କରୁ କରୁ 

ଧନ-ଜନ, ଦାରା-ସମ୍ପତ୍ତି, କ୍ଷମତା-ସମ୍ମାନର 

ଅଜଛଳ ଆବେଗ ଆଉ ପ୍ରାପ୍ତିର ଆଡମ୍ବର ଭିତରେ 

କେତେବେଳେ ବାର୍ଦ୍ଧକ୍ୟ ଆସିଯାଏ ଜଣା ପଡେ ନାହିଁ 

ଶରୀର ଉପରେ ଆଖି ବୁଲେଇ ଆଣିଲା ବେଳକୁ 

ବାରି ହୋଇ ପଡେ ଧୁଡୁକି ଯାଇଥିବା ଦେହର ଚର୍ମ ସବୁ 

ଧନ ଆଉ କ୍ଷମତାର ଆତ୍ମଗାରିମା ଭିତରେ 

ବଳିୟାନ ହୋଇ 

ସମସ୍ତଙ୍କର ଭାଗ୍ୟ ନିର୍ଦ୍ଧାରଣ କରି ଚାଲୁଥିବା ମଣିଷଟା 

ଶେଷରେ ବାଧ୍ୟ ହୁଏ ଖଣ୍ଡେ ବାଡ଼ିକୁ ଆଶ୍ରାକରି ବାଟ ଚାଲିବାକୁ l

ଜୀବନର ଶେଷ ମୁହୂର୍ତ୍ତରେ 

ସେଇ ବାଡ଼ିଟିହିଁ ତା'ର ଆଶା ଆଉ ଭରସାର 

ସାହାରା ପାଲଟିଯାଏ 

ଅସହାୟତାର ବିବଶତା ଭିତରେ 

ହଠାତ ମନେହୁଏ 

ଆଉ କେତେଦିନ ଏ ଜୀବନ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy