ଜୀବନ ଇତି
ଜୀବନ ଇତି
ବଞ୍ଚି ପାରୁନାହିଁ ତୁମ ବିନା ସହି ଦୁଃଖ ଅବସୋସେ ବିତୁଛି ଦିନ
ପ୍ରଶାନ୍ତି ବଦଳେ ଅଶାନ୍ତି ଅନଳେ ଜଳୁଅଛି ମୋର ମନ ପରାଣ।
ମୋର ପ୍ରଶ୍ନ ବାଣ ଦେଉଛି କଷଣ ଜାଣି ପାରୁଅଛି ମୋର ଏ ମନ
ତଥାପି କାହିଁକି ଦେଖାଅ ଭେଳିକି ଅହଂକାରେ ମତ୍ତ ତୁମରି ପ୍ରାଣ।
ଭାବିଛି ଅନେକ କାଟିବି ସମ୍ପର୍କ ହେଲେ କାଟି ପାରୁନାହିଁ ଯମା
ତରଳି ମୁଁ ଯାଏ ରୂପ ରଙ୍ଗ ମୋହେ ଲଙ୍ଘି ପାରେନାହିଁ କେବେତ ସୀମା ।
ଆଶା ଆଶଙ୍କାରେ ଭାବି ଭାବି ସରେ କାଳେ ଭାଙ୍ଗିଯିବ ସମ୍ପର୍କ ସେତୁ
ଭାଙ୍ଗିବା ସହଜ ଯୋଡିବା ମହାର୍ଘ ଅଫେରା ହୁଅଇ ପ୍ରେମର ଋତୁ।
ବଇରାଗ ଭାବ ହୁଅଇ ଉଦ୍ଭବ ଶୁଣି ଶୁଣି ତୁମ ନୈରାଶ୍ୟ ଗୀତି
ମହାଦୁଃଖେ ଭିଜେ ବିରହରେ ସିଝେ ପ୍ରୀତି ତରୁ ଶୁଷ୍କ ସୁରୁଜେ ଭୀତି।
ଭାବନାରେ ମଗ୍ନ ବିରହି ପରାଣ ପାଶୋରି ପାରେନା ସୋହାଗ ଶିରୀ
ଅସହାୟେ ବିତେ ଜୀବନ ନିରତେ ମୁର୍ଛି ପାରେନା ମୁଁ ତୁମ କାଉଁରୀ ।
ଯାହା ମୁଁ ପାଇଛି ଆଶା ମୁଁ ରଖିଛି ପରସିଵ ମୋତେ ଦେଇ ପୀରତି
ହୋଇଯିବି ଋଣୀ ଜନ୍ମ ଜନ୍ମାନ୍ତର ନଚେତ୍ ହୋଇବ ଜୀବନ ଇତି।
