ଜୀବନ ଗୀତି
ଜୀବନ ଗୀତି


ଆଲୁଅ ଅନ୍ଧାର ଜୀବନ
ଦୁଃଖ ଶୋକର ଗତି
କେତେ ଅନୁଭୂତି ଦିଏ ସେ
ଭରେ ଅନେକ ସ୍ମୃତି ।
କେତେବେଳେ ଫୁଲ ଫୁଟେ ସେ
କେବେ ପାଦରେ କଣ୍ଟା
ଜାଣିତ ହୁଏନି କେମିତି
ଚାଲେ ଜୀବନ ଘଣ୍ଟା ।
କେବେ ସେ ଗାଧାଏ ଲୁହରେ
ଗାଏ ଜୀବନ ଗୀତି
ଜୀବନର ସୁଖ ସପନ
କେବେ ହୁଅଇ ଇତି ।
ଅଦିନ ଆକାଶେ ଘୋଟଇ
କଳା ବାଦଲ ଛାଇ
କ୍ଷଣିକରେ ହସ ଖୁସିକୁ
ସିଏ ନିଅଇ ଧୋଇ ।
ଜୀବନଟା ଭରି ଦିଅଇ
ଅପବାଦ ନିଆଁରେ
ସବୁ ଆଶା ଶେଷ ହୁଅଇ
ମଶାଣୀର ଜୁଈରେ ।
ଆଖିର ଆଗରେ ଭାଙ୍ଗି ଯେ
ଯାଏ ସୁଖ ସଂସାର
ବଞ୍ଚିବା ପାଇଁ ସେ ସଂଘର୍ଷ
କରେ ପିଇ ଜହର ।
ଝରୁଥାଏ ଲହୁ ପାଦରୁ
ବାଟ ଥାଏ ଅଜଣା
ଥକି ନ ପଡି ସେ ଚାଲଇ
ଖୋଜି ନିଜ ଠିକଣା ।
ଜାଣି ସେ ପାରେନି କେବେ ସେ
ପାଦ ଅବଶ ହୁଏ
କ୍ଳାନ୍ତକୁ ଦୂରେଇ ତଥାପି
ପଥ ଚାଲୁଣ ଥାଏ ।
ପାନ୍ଥଶାଳାରେ ସେ ଅଟକି
ଗାଏ ଜୀବନ ଗୀତି
ଏଇ ପାନ୍ଥଶାଳା ଜୀବନେ
ଆଣେ ଅନେକ ସ୍ମୃତି ।
ଗୋଟିଏ ରାତିର ସାଥି ସେ
ସିଏ କାହାର ନୁହେଁ
ସଭିଁଙ୍କର ମନ ହୃଦୟେ
ପ୍ରଶ୍ନବାଚୀଟି ରହେ ।
ଧନ ଜନ ଯଉବନ ଯେ
ନୁହେଁ ସେ ଚିରସ୍ଥାୟୀ
ତଥାପି ମଣିଷ ବଞ୍ଚଇ
କେତେ ହେଇ ଅଶାୟୀ ।
ଅସୁମାରୀ ଆଶା ମନରେ
ତାର ଭରି ଯେ ଥାଏ
ଜୀବନର ଶେଷ ମୂହୁର୍ତ୍ତ
ସ୍ମୃତି ପାଲଟି ଯାଏ ।
କାଳର ପାଖରେ ଶେଷରେ
ସିଏ ହାରି ତ ଥାଏ
ଜୀବନର ଗୀତି ସେଇଠି
ସ୍ମୃତି ପାଲଟି ଯାଏ ।