ଜୀବନ ଏମିତି
ଜୀବନ ଏମିତି
ଜୀବନ ଏମିତି ଜଳିବାକୁ ନୁହେଁ
ଯାତନାର ଜଉ ଘରେ
ଚିନ୍ତା ଚେତନାକୁ ଚିତା ନ ସଜାଇ
ଯା' ହୃଦୟ ଚେତି ପାରେ
ସେ ଏକା ଏହି ମହୀରେ
ଆନେ ଖୁସି ଦେଇ ନିଜେ ସୁଖେ ରହି
ସୁସମ୍ପର୍କ ଗଢ଼ିପାରେ ।
ନିର୍ମଳ ପାବନ ହୃଦୟ ମନ୍ଦିରୁ
ଝରାଇ ଭାବ କଲ୍ଲୋଳ
ସେଥିରେ ଭିଜାଇ ରଖଇ ମଜାଇ
ବହଇ ମୃଦୁ ଅନିଳ
ଆନ ହୃଦୟ ଶୀତଳ
ଜାଗଇ ମନରେ ନିରଳସ ପ୍ରେମ
ନିଃସ୍ବାର୍ଥ ଭରଇ ବଳ ।
ଆପଣାପଣର ମହକେ ମହକି
ଦୁନିଆକୁ ମହକାଇ
ସମ୍ପର୍କ ସାଥିରେ ଖୁସିର ବାସରେ
ନିଇତି ଚହଟୁଥାଇ
ତନୁ ପୁଲକି ଉଠଇ
ଲଭି ଶାନ୍ତି ତୃପ୍ତି ଖୋଜି ଜୀବୋନ୍ନତି
ଥାଏ ସୁଖକୁ କୋଳେଇ ।
ଜନମ ମରଣ ମଧ୍ୟରେ ଜୀବନ
ଯା'ର ଜ୍ୟୋତିଷ ସମାନ
ବିଭୁ ଚିନ୍ତନରେ ମମତା ସୁରରେ
ବୋଲି ମଧୁର ବଚନ
ହରଇ ଆନର ମନ
ଦୟା, କ୍ଷମା ବହି ଜ୍ଞାନେ ଗୁଣଗ୍ରାହୀ
ନମ୍ରତା ଅଙ୍ଗ ଭୂଷଣ ।
ହିଂସା, କପଟତା, ଅସୂୟା, ବିଦ୍ୱେଷ
ଦାବାନଳ ସମ ଜାଳି
କରଇ ବିଧ୍ବଂସ ଦେହୀର ମାନସ
ନ ପାରି ସେଠୁ ମୁକୁଳି
ହୃଦୟ ଛାଡ଼େ ବୋବାଳି
ଅଧୋଗତି ପଥ ଆଗକୁ ନିଶ୍ଚିତ
ଯେବେ ନ ପାରଇ ଭାଳି ।
ଜୀବନର ଅର୍ଥ ବୁଝିବା ସାମର୍ଥ୍ୟ
ରହିଥାଏ ଯାହାଠାରେ
ବିପଦେଆପଦେ କି ଅବା ସମ୍ପଦେ
ସମାନତା ହୃଦୟରେ
କୌଣସି ପରିସ୍ଥିତିରେ
ତାକୁ ସୁଖଦୁଃଖ ଖୁସି କି ବିମୁଖ
କେବେ ବି ନକରି ପାରେ ।
ଜୀବନ କେବଳ ଗୀତି ଝରଣାର
କିବା ଗୋଲାପ ସୁରଭି
ନୁହେଁ ବୋଲି ସିଏ ବୁଝି ପାରିଥାଏ
ଜୀବନକୁ ଅନୁଭବି
ଦେଖିଦେଖି ତା'ର ଛବି
ମରୁର ଜୀବନ୍ତ ଖଜୁରୀ ବିଥିକା
ଥାଏ ବୋଲି ତାକୁ ଭାବି ।।
