ଜୀବନ ଚକ୍ର
ଜୀବନ ଚକ୍ର
ଅନ୍ଧକାର ଭିତରୁ ଛୋଟିଆ ବୀଜଟିଏ
ଅନୁକୂଳ ପରିବେଶ ଥାଇ
ଅଙ୍କୁରିତ ହେଲା ପରେ
ଆଲୋକ ପଥରେ ଯାତ୍ରା ଆରମ୍ଭ କରେ
ଧରଣୀ ଫଟାଇ ଉର୍ଦ୍ଧ୍ବଗାମୀ ଅଗ୍ରଗତିରେ
ଯେତିକି ଉପରକୁ ଉଠେ
ସେ ପାଦପ ଆଖ୍ୟାରେ
ସେତିକି ଭୂମି ତଳେ ଜାବୁଡ଼ି ଧରି ଥାଏ
ନିଜେ ମଜବୁତ ହୋଇ
କାଳ କାଳ ଧରି ବଞ୍ଚିବା ସଂଜ୍ଞାରେ।
କ୍ଷୁଦ୍ର ଏକ କଳିକାରୁ ଫୁଲ ଫୁଟେ,
ଫଳ ଧରେ ତାର ବକ୍ଷରେ
ସୁଗନ୍ଧ ସହିତ ଖାଦ୍ୟ ଯୋଗାଏ ସେ
ପରିବ୍ୟାପ୍ତ ସକଳ ଜଗତରେ
ଛାଇ ଦିଏ ପଥିକର ଛାତ ହୋଇ କେବେ
ନୀଡ଼ ଆଶ୍ରା ଧରି ବଞ୍ଚି ଯାଏ ପକ୍ଷୀଟିଏ କେବେ।
ତାତି ବର୍ଷା ପବନ ଜାଡ଼କୁ ନ ଥାଏ ତା ଡ଼ର
ଦୃଢ଼ତାର ପରିଚୟ ଦିଏ ସିଏ ହୋଇ ମହାଦ୍ରୁମ
ଗୋଟେ ଗୋଟେ ମିଶି ଯେବେ ଅନେକ ହୁଏ
ଘନ ଅରଣ୍ୟର ପରିଚୟ ସେ ପାଏ
ମୂଳ ଠାରୁ ଗଣ୍ଡି,ପତ୍ର,ଫୁଲ,ଫଳ
ସବୁ ତ ଦରକାରୀ ବୋଲି ମଣିଷ ଜାଣଇ
ଡ଼ାକି ଆଣୁଛି ନିଜରି ବିନାଶକୁ ପଦା କରି ଦେଇ।
କାଳ ମୁଖେ ପତିତ
ଯେ ଆଜି ଜୀବନ ଚକ୍ର
ସମୟ ଥାଉ ଥାଉ ନ ଚେତିଲେ
ହେବ ନାହିଁ ଆଉ ବିଳମ୍ବ
ସବୁଜିମା ଭରା ପୃଥିବୀ ଦିନେ
ପାଲଟିବ ମରୁଭୂମିରେ ମରୀଚିକା ତୁଲ୍ୟ
ନାଶ ଯିବ ଏଇ ପ୍ରାଣୀ ଜଗତ।