ମକର ପାଇଁ କିଛି
ମକର ପାଇଁ କିଛି
ମକର ଆସିଛି
କାକରରେ ଭିଜି
କୁହୁଡି ଓଢଣା ଟାଣି
ସ୍ନେହ ପ୍ରେମ ପ୍ରୀତି
ସାଥେ ଖୁସି ଫୁଲ
ପାଖୁଡାକୁ ଦେବ ବୁଣି ।
ପ୍ରତି ହୃଦୟରେ
ଭରିଦେବ ଶାନ୍ତି
ଭାତୃତ୍ୱର ସୁଧା ଧାରେ
ଭୁଲି ଭେଦ ଭାବ
ସର୍ବେ ହେବେ ଏକ
ଦେଶ ପ୍ରେମ ଭାବନାରେ ।
ଶୀତର ଲହର
ଥରି ଯାଏ ଦେହ
ଶିହରଣ ଯାଏ ଖେଳି
ପବନ ଝୁମଇ
ବଉଳ ବାସ୍ନାରେ
ମଧୁକର ସାଥେ ମିଳି ।
ଫୁଲେ ଫୁଲେ ଭରା
ରଙ୍ଗର ପସରା
ମନ ହୁଏ ଆନମନା
ଅଙ୍କୁରିତ ହୁଏ
ନବ କିଶଳୟ
ମନେଭରି ଉନ୍ମାଦନା।
<
br>
ଲାଜେଇ କୋଇଲି
ଇସାରାରେ ଡାକେ
ପ୍ରିୟତମ ଅଭିଳାଷେ
ହୃଦୟ କାନନେ
ପ୍ରୀତିର ମହକ
ମନ୍ଦ ମନ୍ଦ ହୋଇ ବାସେ l
ଆସିଛି ମକର
ସ୍ୱାଗତ ପାଇଁ କି
ଶିଶିର କୁସୁମ ସାଜି
ଝରିପଡ଼େ ଧିରେ
ମୁକୁତାର ବୁନ୍ଦା
ମମତାର ମୋହେ ଭିଜି ।
ସନ୍ତୁଷ୍ଟିରେ ଭରେ
ସବୁରି ହୃଦୟ
ଶୀତର ପରଶ ପାଇ
ପଶୁପକ୍ଷୀ କୀଟ
ତରୁ ଳତା ଦ୍ରୁମ
ଚିତ୍ତ ଯାଏ ତୋଷ ହୋଇ ।
ମକର ବସିବା
ସ୍ନେହ ବିତରିବା
ମକର ଚାଉଳ ଖୋଇ
ପ୍ରତି ବରଷରେ
ଖୁସି ହରସରେ
ପାଳିବା ପରବ ଏହି ।