ଝୁରୁଛି ଗୋପ ନଗରୀ
ଝୁରୁଛି ଗୋପ ନଗରୀ
ମିରା ବି ଝୁରୁଛି ରାଧା ବି ଝୁରୁଛି
ଝୁରୁଛି କଦମ୍ବ ବନ ।
କଳା ନାଗର ହେ ହଟିଆ ଠାକୁର
ଚୋରାଇ ନେଇଛ ସବୁରି ମନ।।
ଭାଳେ ଯଶୋବନ୍ତୀ ଖୋଜୁଛି ରାଧିକା
ଝୁରୁଛି କଦମ୍ବ ବନ ।
ଫେରିଆ ଫେରିଆ ଶୁଭୁଛି ମୂର୍ଚ୍ଚ୍ଛନା
ଶୁଭୁନାହିଁ ବଂଶୀ ସ୍ବନ ।।
ଲୁହର ଶ୍ରାବଣୀ କଳସରେ ଭରି
ବିରହୀ ରାଧିକା ରାଣୀ ।
ଖୋଜୁଛି ତୁମକୁ ଆହେ କଳାନିଧି
କାଳିଆ ମଉଡ ମଣି ।।
ଧେନୁବତ୍ସା ଆଜି ହମ୍ବାରଡି କରି
ଖୋଜୁଥାଏ ବଂଶୀ ସ୍ଵନ ।
ସୁଦାମ ସୁବଳ ସଖା ସହିତରେ
ଆସହେ କାଳିଆ ଧନ ।।
ଶିକାରେ ସାଇତି ସର ଲବଣୀ ଯେ
ମା ଯଶୋବନ୍ତୀ ଭାଳେ ।
ଫେରିଆ ଫେରିଆ ମୋ କଳା କାହ୍ନୁ
ଡାକଇ ଭାବ ବିହ୍ୱଳେ ।।
ଦେହ ଅଛି ହେଲେ ମନ ନାହିଁ ଏଠି
ମନ ତ ନେଲ ଚୋରାଇ ।
ପର କରିଦେଇ ଗୋପପୁର ସ୍ମୃତି
ଚାଲିଗଲ କିଆଁ କଳା କହ୍ନେଇ ।।
ବିରହ ବ୍ୟଥାରେ ବିହ୍ୱଳିତ ଆଜି
ଗୋପ ନଗରର ବାସୀ ।
ବିଚ୍ଛେଦ ବ୍ୟଥାରେ ମର୍ମାହତ ଆଜି
ଝୁରୁଛନ୍ତି ଦିବା ନିଶି ।।
କେବେ ଆଉ ସତେ ସେ ଦିନ ଆସିବ
ଫେରିବ କଳା କହ୍ନେଇ ।
ଗୋପୀମେଳରେ ଯେ ରାସ କରୁଥିବ
କୁଞ୍ଜରେ ବଂଶୀ ବଜାଇ ।।
ଶୁଣିଦିଏ ଯେବେ ବଇଁଶିର ସ୍ବର
ବିରହୀ ରାଧିକା ରାଣୀ ।
କାହ୍ନୁ ଆସିଗଲେ ମନେ ଭାବିନେଇ
ଖୋଜଇ ହୋଇ ବାୟାଣୀ ।।
ଫେରିଆସ ବାରେ କଳା କଳେବର
କାଳିଆ କଳା କହ୍ନେଇ ।
ଦୁଃଖ ଦୂର ହେଉ ଗୋପନଗରୀରୁ
ତମକୁ ପାଖରେ ପାଇ ।।
