ଜୀବନ ଆବୃତ୍ତି
ଜୀବନ ଆବୃତ୍ତି
କବିତା - ଜୀବନ ଆବୃତ୍ତି
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୮-୨୦୨୫
++++++++++++++++
ସବୁ ଅଛି
ମାଣ ମାଣ ଜମି ବାଡି ଅଛି
କିନ୍ତୁ ପଡିଛି ଘାସୁଆ ପଡିଆ
ଘର ଦ୍ଵାର ତ୍ରିତଳ ପ୍ରାସାଦ ଅଛି
କିନ୍ତୁ ଦିଶୁଛି ଅଧପନ୍ତରିଆ
ଚାକିରି ବାକିରି ଅଛି
କିନ୍ତୁ ସେବାନିବୃତ୍ତି ପରେ ଆଇଗଣିଆ
ପୁଅ ବୋହୁ ବାଙ୍ଗାଲୋରରେ ଅଛନ୍ତି
କିନ୍ତୁ ପୂରା କର୍ମକୋଢିଆ
ଝିଅ ଜ୍ୱାଇଁ ନାତିନାତୁଣୀ ଅଛନ୍ତି
କିନ୍ତୁ ବିଦେଶରେ ଉପରଠାଉରିଆ
ବେଳେ ବେଳେ ଲାଗେ
ସବୁ ରହିଛି ଅଥଚ କିଛି ନାହିଁ
ଆହା କହିବାକୁ କେହି ନାହିଁ ପାଖରେ
ରାହା ଧରିବାକୁ ନାହିଁ କେହି ବିଶାଳ ସଂସାରେ
ମନକୁ ବୁଝେଇ ଦେଇଛି
ଋତୁ ଅଛି ମାନେ
ଆସିବ ବର୍ଷା ବୈଶାଖ ବସନ୍ତ
ଆସିବ ପତ୍ରଝଡ଼ା ଏମନ୍ତ ଯେମନ୍ତ
ମନ ସାଥେ ଦୋସ୍ତୀ ବାନ୍ଧି ନେଇଛି
ବୟସ ଅଛି ମାନେ
ଆସିବ ଶୌଶବ ଯୌବନ ବୃଦ୍ଧାବସ୍ଥ
ଆସିବ ରୋଗ ବୈରାଗ୍ୟ ବାନପ୍ରସ୍ଥ
ଆସ୍ଥା
ଭାଙ୍ଗି ଯାଉ ପଛେ
ହୃଦୟଟେ ଅଛି
କରୁଣାରେ ଦ୍ରବଣ
ବାଟବଣା ହେଉ ପଛେ
ସଂପର୍କଟେ ଅଛି
ବେଦନାରେ ଫଗୁଣ
କଣ୍ଟକିତ ହେଉ ପଛେ
ପରିଚୟଟେ ଅଛି
ଚେତନାରେ ଅର୍ପଣ
ପାଚିଲା ହେଉ ପଛେ ପତ୍ରପଲ୍ଲବ ସବୁ ଅଛି
ଭାବନାରେ ତର୍ପଣ
ଭେଜାଲ ହେଉ ପଛେ କଠାଏ ହସ ଅଛି
ଓଠରେ ସମର୍ପଣ
ଏମିତି ସେମିତି ଭାବିଲ
ସବୁ କିଛି ହାତ ପାଆନ୍ତାରେ
ପୁଣି ଗହିରି କରି ଭାବିଲେ
କିଛି ନାହିଁ ଆସାର ସଂସାରେ
ଆଉ ସେହି ନାହିଁ ନାହିଁରେ ଜିଇଁବା
ଆଉ ସେହି ଅସୁବିଧାରେ ବଂଚିବା
ଆଉ ସେହି ଜଞ୍ଜାଳରେ ଚେଇଁବା
ଆଉ ସେହି ସମସ୍ୟାରେ ପହଁରିବା
ଏକ କଳା
ଏକ ବୃତ୍ତି
ଏକ ପ୍ରବୃତ୍ତି
ଏକ ପ୍ରକୃତି
ଆଉ ସବୁ ମିଶିଗଲେ
ଲାଗେ ଜୀବନ ଆବୃତ୍ତି
