ଝୁରୁଛି ଭାରତବର୍ଷ
ଝୁରୁଛି ଭାରତବର୍ଷ
ଗଙ୍ଗା ଯାହାର ପାଦ ଧୋଇ ଦିଏ
ସ୍ଵଛ ସଲିଳ ନୀରେ
ସାଧୁ ସନ୍ଥଙ୍କର କୀର୍ତ୍ତି କିରିଟିନୀ
ହିମାଳୟ ତାର ଶିରେ.
ମୃଦୁ ପବନ ତା ଗାଇ ଗାଇ ଯାଏ
ବସୁଧା କୁଟୁମ୍ବ କଥା
ପବିତ୍ର ରେଣୁରେ ଲୁଚିଅଛି କେତେ
ବୀର ସହୀଦର ବ୍ୟଥା.
ଜାତିର ସମ୍ମାନ ଆମ ସ୍ୱାଭିମାନ
ପତାକା ତିନି ରଙ୍ଗର
ତା ଦେହେ ଲେଖିଛି ଜାତିପ୍ରିତି କଥା
ସ୍ୱାଧୀନତା ସଂଗ୍ରାମର.
ଆକାଶ ଛାତିରେ ଲେଖିଅଛି ସିଏ
ତିନିରଙ୍ଗ କାଳୀ ନେଇ
ସାହସ ପ୍ରଗତି ଶାନ୍ତିର ବାରତା
କାନେ କାନେ ଯାଏ କହି.
ମାନବିକତାର ବିଜୟ କେତନ
ସତ୍ୟ ଅହିଂସାର କଥା
ଇତିହାସ ସବୁ ସାଇତି ରଖିଛି
କେତେ ଗୌରବ ଗାଥା.
ଅନ୍ୟର ଦୁଃଖରେ କାନ୍ଦେ ଯା ପରାଣ
ସେହି ପରା ସହୋଦର.
ପର ସୁଖ ଲାଗି ଦେଇଛି ଜୀବନ
ଏହି ଆମ ବଂଶଧର
ସ୍ୱାଧୀନତା ନାମେ ସ୍ୱ -ଇଚ୍ଛା ଚାରିତା
ରୂପ ନେଇଅଛି ଆଜି
ଫିରିଙ୍ଗି ବଦଳେ ସ୍ୱଦେଶୀ ହାତରେ
ଶାନ୍ତି ତ ଗଲାଣି ହଜି.
ମଣିଷ ପିଉଛି ମଣିଷ ରକତ
ପ୍ରେମ ନାମେ ପ୍ରତାରଣା
ମୋହ ମାୟା ଲୋଭେ ସ୍ୱାର୍ଥରେ ହଜିଛି
ସୁଖ ଏଠି ବାଟବଣା.
ଆଜିବି ପାଞ୍ଚାଳି ହୁଏ ଵିଵସନା
ପାଷାଣ୍ଢ ଦୁଃଶାର ହାତେ
ଶତ ଜାନାକୀ ର ବଢୁଛି ଯାତନା
କେତେ ଉପହାସ ସତେ.
ଏମାଟିର ପୁଅ ସୁଖକୁ ବରଜି
ବନ୍ଧନୁ କଲା ମୁକତି
ତାହାରି ଦାୟାଦ ନିଜ ସୁଖ ଲାଗି
ମାଟିକୁ ଶୋସୁଛି ନିତି.
ରକ୍ତର ପ୍ରଭାତେ ଜନ୍ମ ଏ ଅରୁଣ
ଜୀବନ ନୁହେଁ ତା କରୁଣ
ଏ ସମୟ ଯଦି ନପାରିଲା ବୁଝି
ହାତୁ ଯିବ ତୋ ସୁଖ ସପନ.
ମହାନ ଜାତିର ସନ୍ତାନ ତୁମେ ହେ
ଫେରି ଆସ ଫେରି ଆସ
ଗାନ୍ଧିବାଦ ଆଜି କବର ନଦିଅ
ଝୁରୁଛି ଭାରତବର୍ଷ ।