ନବ ବର୍ଷ ଅନୁଚିନ୍ତା
ନବ ବର୍ଷ ଅନୁଚିନ୍ତା
ବାହାରେ କୋହଲା ପବନ ସହ
ଶୀତୁଆ ସକାଳର ନିଆରା ଅନୁଭବ ।
ସୂର୍ଯ୍ୟ ସ୍ନାତ ସୁନ୍ଦର ଶୀକର
ପତରେ ପତରେ ଭରା କାକର
କୁହୁଡି ସାଙ୍ଗକୁ ଶୀତୁଆ ପବନ,
ଛିଣ୍ଡା ଚାଦରକୁ ଜାକିଧରିଚି
ପାଞ୍ଚ ବରଷର ମକରା,
ମନରେ ଅସୁମାରୀ ଅସମାହିତ ପ୍ରଶ୍ନ ।
31ଡିସେମ୍ବର ରାତି 12ରେ
ସାରା ଜଗତ ଘୁମେଇବାର ସମୟ,
କିନ୍ତୁ, କିଟିକିଟି ଘନ ଅନ୍ଧାର
ଢୋ ଢା ଫୁଟୁ ଥିବା ବାଣର ଶବ୍ଦରେ
କଞ୍ଚା ନିଦଟା ଭାଙ୍ଗିଗଲା ତାର ।
ଆକାଶ ଛାତିରେ ଆତାବାଜିର
ତାରା ସବୁ ରଙ୍ଗବେରଙ୍ଗର,
ବିକୃତ ତାଣ୍ଡବ ନୃତ୍ୟ ମଦ୍ୟପ ଙ୍କର
ଡାକବାଜି ଯନ୍ତ୍ରର କର୍କସ ବିକଟାଳ ଶବ୍ଦରେ
ହୃଦରୋଗରେ ଧକେଲାଣି
ମକରାର ବାପାଟା ।
ମାଆ,
ଆଜି କଣ ଆମବସ୍ତି ର କାହାରି ବାହାଘର?
ନା ରେ ପୁଅ.
ଆଜିପରା ନୂଆ ବର୍ଷ.
ସେଇଟା ପୁଣି କଣ, ମା ?
କାଲି ଠାରୁ ଆଜି ତ, କିଛି ନୂଆ ନାହିଁ..
କାଲି ତୋର, ରାତି ପାହିଥିଲା ଚିମିନି ଧୂଆଁରେ,
ବାପା,ବାଲି ସିମେଣ୍ଟ କାମରେ,
ଆଉ ମୁଁ, ଜରିଗୋଟେଇବାରେ,
ଆଜି ବି ତ ସେଇଆ
କାଲି ପରି ସବୁ କିଛି ତ ସମାନ ଅଛି.
ତେବେ ଅନ୍ତର କଣ?
ନାଁ ରେ ପୁଅ, ତୁ ବୁଝିବୁନି
ଆଜିପରା ନୂଆ ବର୍ଷ ବାବୁମାନଙ୍କର,
ଯେତେ ସବୁ ଥିଲା ବାଲାଙ୍କର.
ତାହେଲେ,ଆମେ କଣ ତାଙ୍କ ଠାରୁ ଭିନ୍ନ ମା ?
ସତରେ ନୂଆ ବର୍ଷ ଆସେ
ସେଇମାନଙ୍କ ପାଇଁ
ଗଳିର ମୋଡ଼ ଚେଇଁ
ଚିକମିକ ଆଲୁଅର ଘର ସଜେଇ.
ନୂଆ ବର୍ଷ ଆସେ
zero night ର ବିକଟାଳ ଶବ୍ଦ ସହ
ଡିଜେ ସାଉଣ୍ଡ ସାଙ୍ଗକୁ ବିକୃତ ତାଣ୍ଡବ ନୃତ୍ୟରେ
ମଦ୍ୟପଙ୍କ କଞ୍ଚା ମାଂସ ଖାଇବାର
ଡ଼ାହାଣା ଆଖିରେ,
ପିକନିକ, ପାର୍କ ର ଭିଡରେ
ମାଛ ମାଂସର ଚଢ଼ା ଭାଉରେ ।
ମାଆ, ତୁପରା କହୁଥିଲୁ
ଗାନ୍ଧୀଙ୍କ ସ୍ବପ୍ନ ଥିଲା, ଶ୍ରେଣୀ ମୁକ୍ତ ସମାଜ
ନାଁରେ ପୁଅ
ସେସବୁ ଭାଷଣରେ,
ଗଛ ରୁ ପତ୍ର ଝଡି ଡ଼ାଳ ଆଗକୁ ମାଡିଲା ଭଳି
ଦିନ ମାସ ବର୍ଷ ପରେ ବର୍ଷ ବିତୁଛି.
ତେଲିଆ ମୁଣ୍ଡରେ ତେଲ ଭଳି
ମନ୍ତ୍ରୀ ପୁଅ ମନ୍ତ୍ରୀ ହେଉଛି
ଆମର ସୁଖ ଅପହଞ୍ଚ ହେଉଛି.
ଭୌତିକ ବିକାଶ ହେଉଛି
ମାତ୍ର ମଣିଷର ଦିବ୍ୟ ଜ୍ଞାନ ଅପସରି ଯାଉଛି
ଗାନ୍ଧୀ ବାଦକୁ କବର ଦେଉଛି
ମାନବିକତା କୁ ହଜେଇ
ଜଡ଼ବାଦୀ ହୋଇ ଯନ୍ତ୍ର ପାଲଟିଛି ।
ହେ ନୂଆ ବର୍ଷ ତୁମେ ଆସ
ଶାସ୍ୱତ ପ୍ରେମ ର ସୁଗନ୍ଧ ନେଇ
ମାନବିକତାର ସ୍ତୁତି ଗାଈ
ପ୍ରତାରଣା ପ୍ରବଞ୍ଚନା କୁ ଦୁରେଇ ଦେଇ
ଘୃଣା ଅହଂ ଆଦି ଅଳିଆକୁ ଫିଙ୍ଗି ଦେଇ
ଝାଉଁଳା ମୁହଁରେ ଶରତର ଜହ୍ନ ଖେଳାଇ
ଉଜୁଡା ସ୍ବପ୍ନକୁ ସୁନ୍ଦର ସଜାଇ
ଶକ୍ତି ଆଉ ନିରୁଳା ଭକ୍ତି ନେଇ,
ସାମ୍ୟତାର ସ୍ରୋତ ବୁହାଇ
ତୁମେ ଆସ ନୂଆ ବର୍ଷ
ନୂତନ ସମାଜର ବାସ୍ତବ ସ୍ବାଦୁଚଖାଇ. ।