STORYMIRROR

Biswaranjan Mohanty

Tragedy

3  

Biswaranjan Mohanty

Tragedy

ଝରଣା

ଝରଣା

1 min
414


           

ଗିରିବର କୋଳେ ଲୁଚି ଅଜ୍ଞାତରେ ଥିଲା ଦୁଇଟି ଝରଣା 

କିଏ କେଉଁ ଆଡ଼େ ଝରି ଯାଉଥିଲା ଦୁହେଁ ଦୁହିଁଙ୍କି ଅଜଣା 

ଗୋଟିଏ ଝରଣା ଟାଙ୍ଗରା ପର୍ବତୁ ଝରୁଥାଏ ଖରା ଖାଇ 

ଅନ୍ୟଟି ଝରିଲା ବେଳେ ପରବତୁ ଗଛଥାଏ ଛାୟା ଦେଇ 

ଟିକି ଝରଣାଟି ଲୁଚକାଳି ଖେଳୁ ଥିଲା ଗିରିବର ଘରେ 

ଧୀରେ ଧୀରେ ଝରି ଆସୁଥିଲା ବାରି ଲୋଚନର ଆଗୋଚରେ 

ପର୍ବତ କନ୍ଦରେ ବଡ଼ ଝରଣାଟି ସାନକୁ ରହିଲା ଚାହିଁ 

ତରତରେ ସାନ ମିଶି ତା ସାଙ୍ଗରେ ଆନନ୍ଦରେ ଗଲେ ବହି 

ଅତି ଆନନ୍ଦରେ ଦୁହେଁ ମିଶି ନଈ ହୋଇଗଲେ ସମତଳେ 

କେତେ ନରନାରୀ କେତେ ପଶୁପକ୍ଷୀ ବାସକଲେ ତାର କୂଳେ 

କେତେ ଆନନ୍ଦରେ ଖେଳିଲେ କୋଳରେ ସାରସ ମରାଳ ପନ୍ତି 

କାହିଁ ମୀନଦଳ କାହିଁ ସରୀସୃପ କାହିଁ ବା କୋକ ଦମ୍ପତି 

ଦିନରାତି ସୁଖ ଦୁଃଖ ନ ଜାଣନ୍ତି ଚାଲନ୍ତି ନତ ବଦନେ 

ନିଜର ଜୀବନ ସାର୍ଥକ କରନ୍ତି ନିଜ ଦେହ ତୋୟ ଦାନେ 

ସବୁଜ ସୁନ୍ଦର ସରସ ଶ୍ୟାମଳ ଦେଖି ବିଲ ତରୁମାଳ 

ସେହି ଆନନ୍ଦରେ ହୋଇ ଅଭିଭୂତ କଟି ଯାଉଥିଲା କାଳ 

ଦିବସେ ଗଗନ ଆନନ ଦେଖଇ ନିଶିରେ ଦେଖଇ ତାରା 

ଚନ୍ଦ୍ର ସୂର୍ଯ୍ୟ ସଦା ଖେଳି ସେ କୋଳରେ କରୁଥାନ୍ତି ଆତ୍ମହରା 

ହସି ଖେଳି ଦୁହେଁ ଯାଉଥିଲେ ବହି ମିଶିବା ପାଇଁ ସାଗରେ 

ଜଣା ତ ନଥିଲା ଲୁଚି ରହିଥିଲା ପାହାଡ଼ କାହିଁ ଆଗରେ 

ଦୁଇ ଧାର ହୋଇ ଭାଙ୍ଗିଗଲେ ଦୁହେଁ ବଡ଼ଟି ଚାଲିଲା ବେଗେ 

ସାଗର ତାହାର ଲହରୀ କୁ ଭାଙ୍ଗି ମିଶାଇ ଦେଲା ତରଙ୍ଗେ 

ସାନ ଝରଣାଟି କ୍ଷୀଣ ଧାର ହୋଇ ବହୁଅଛି ଥିରି ଥିରି 

ଚାହୁଁଅଛି ଧୀରେ ଅନନ୍ତ ବାରିଧି କେବେ ନେବ କୋଳ କରି l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy