ଝରକାର ଆରପାଖେ
ଝରକାର ଆରପାଖେ
ସେଦିନର ସେ ନିରୋଳା ଅପରାହ୍ନରେ
ଯେବେ ରୌପ୍ୟଭିଜା ସ୍ୱର୍ଣ୍ଣାଭ କିରଣ ପ୍ରବେଶିଲା
ଦୂର ଦିଗ୍ବଳୟ ପାଖରୁ
ସେଇ ଏକ ବଖୁରିଆ ଘରର ଝରକା ପାର୍ଶ୍ୱରେ
ଝରକା ଏପାଖରେ ଆହତ ପ୍ରଜାପତି
ସେପାଖରେ ଦଗ୍ଧ ଗୋଲାପର ପୀଡା
ଚତୁଃପାର୍ଶ୍ୱରେ ପ୍ରକୃତିର ଶୋଭା।
ଝରକା ସେ ପାଖରେ ଦିଶୁଥିଲା ତାର ଗୋଲ୍ ମୁହଁ
କଜଳ ବୋଳା ଆଖି ତୀକ୍ଷ୍ଣ ନାସିକା
ପ୍ରେମଭରା ଆଲିଙ୍ଗନର ଇସାରା।
ଏ ପାଖରେ କ୍ଷତାକ୍ତ ପ୍ରାଣର ଆବିଳତା
ସେ ପାଖରେ ଦଗ୍ଧ ଚେତନାର ଉଦବେଳନ
ବାଧକ...ନିର୍ଜୀବ ଝରକା।
ଶୀତୁଆ ସଞ୍ଜରେ ବି ଘର୍ମାକ୍ତ ଶରୀର
>ଅହରହ ଚେଷ୍ଟା ପାଇବାକୁ ସେହି ମିଳନକୁ।
ନା ସନ୍ଧ୍ୟାର ଅନ୍ଧାର ଛୁଇଁଲାଣି ଝରକାର ରେଲିଂକୁ
ଝରକା ସେ ପାଖର ମୁହଁଟା ଲୁଚି ଯାଉଛି
ଲୁଚିଯାଉଛି ନା ବହଳ ଅନ୍ଧକାର
ତାକୁ ଲୁଚାଇ ଦେଇଛି?
ଝରକା ଏ ପାଖର ମୁହଁ
ଅପେକ୍ଷା କରିଛି
ଆସନ୍ତା କାଲିର କାକରଭିଜା ସକାଳକୁ
ଚାହିଁ ରହିଛି ଦୂର ଆକାଶକୁ
ଫୁଲେଇ ଜହ୍ନର ଉଜ୍ଜ୍ୱଳତାକୁ
ତାରାମାନଙ୍କର ଖିଲିଖିଲି ହସକୁ
ନା...ନା...ଉପହାସକୁ।
ଏଥିପାଇଁ ଯେ ଝରକା ସେପାଖର ମୁହଁ ଥିଲା
ଦଗ୍ଧ ଗୋଲାପର
ସୁନ୍ଦରୀ ତରୁଣୀର ନୁହଁ।