ସ୍ମୃତି
ସ୍ମୃତି
ଆଖିରେ ଆଖିଏ ଲୁହ
ବୋଧହୁଏ ଥକି ପଡିଛନ୍ତି
ସେ କାନିର ଗଣ୍ଠିରେ
ବନ୍ଧା ପଡ଼ିଥିବା ଟିକକ ଖୁସି ପାଇଁ !
କାହୁଁ ଅଜଣା ପଥରେ ପଥିକ ମୁଁ
ବର୍ଷ, ମାସ, ଦିବା, ରାତ୍ରୀ
କେତେ ଚାଲିଗଲେଣି
ମୁଁ କିନ୍ତୁ ସେଇ ବସନ୍ତର
ଅପେକ୍ଷାର ବାଟୋଇ !
ସମୁଦ୍ରରେ ଯେତେ ଚେଷ୍ଟା କଲି
ବିସର୍ଜନ କରିଦେବି ସେ ଋତୁର
ସ୍ୱାଦମୟ ସ୍ମୃତିଯୁକ୍ତ ବେଦନାକୁ
ଏତିକି କେମିତି ଭୁଲିଗଲି କେଜାଣି
ଏ ସମୁଦ୍ର ତ ମୋର
ଛୋଟ ବେଳୁ ବଇରୀ
ଆଣି ଫେରାଇ ଦେଲା
କୁଳରେ ସବୁ ସ୍ମୃତିକୁ !
ତୁମକୁ ମୁଁ ଜମାରୁ ଖୋଜେନି
ହୃଦୟରୁ ଘୃଣା
ଅସଂଖ୍ୟ ଭାବନାରେ ଭରିଦିଏ
ତୁମେ ଦେଇଥିବା କଷ୍ଟଗୁଡିକ
ମୋ ଆଖିରେ ଆଖିଏ ଲୁହ
ଖାଲି ଯାହା ତୁମକୁ ଭୁଲିବାକୁ
ତୁମକୁ ଘୃଣା କରିବାକୁ
ତୁମ ଠାରୁ ଦୁରେଇ ଯିବାକୁ
ତୁମକୁ ପୁଣି ହୃଦୟର କୋଠରୀ
ଭିତରେ ଆସିବାକୁ ଦିଏ
ଏହାର ଫାଇଦା ଖୁବ୍ ନିଅ ତୁମେ
ବେଧଡକ ପଶିଆସ କଷ୍ଟ ଦେବାକୁ !
ଏଇତ ଶେଷ ଥର ତୁମର
ଜବରଦସ୍ତିଆ ଆଗମନ
ଭାବିଥିଲି ଏଥର ମିଳିଯିବ ମୁକ୍ତି
ତୁମ ସବୁ ସ୍ମୃତିରୁ
ଆକାଶରେ ଆକାଶେ ତାରା
ଚିକ ମିକ କରୁଥିଲେ
ଗୋଟେ ନୂଆ ଦୁନିଆର
ଆଗମନରେ ବିଭୋର ହୃଦୟ
ଚକିତ କରିଥିଲା ସେଠି ବି ତୁମ ସ୍ମୃତି
କିଛି ଦୂରେ ଦେଖିଲି ତୁମେ
ହସୁଥିଲ ଦେଖି ମୋ ଅବୁଝା ପଣକୁ !