STORYMIRROR

Santanu Bisoi

Tragedy Others

4  

Santanu Bisoi

Tragedy Others

ଝରକାର ଆରପାଖେ

ଝରକାର ଆରପାଖେ

1 min
318


ବନ୍ଦିନୀ ଆଜି ମୁଁ ଚିର ବନ୍ଦିନୀ 

ଅଭାଗିନୀ ପୁଣି ହେଲି,

ବାହାର ଦୁନିଆଁ ହେଲା ସାତପର

ଭଲ ମୁଁ ପାଇଲି ବୋଲି ।


ସମାଜ ଦେଖୁଛି ଘୃଣିତ ଆଖିରେ

ଅଲାଜୁକି ଆଖ୍ୟା ଦେଇ

କାହିଁକି ବଞ୍ଚିଛି ପୋଡ଼ା ମୁହଁ ନେଇ

କୂଅ, ବନ୍ଧ ମିଳୁନାହିଁ ।


ପ୍ରେମ ଯଦି ସତ୍ୟ, ଅମୁଲ୍ୟ, ଶାଶ୍ୱତ

ଯଦି ଚ ପ୍ରେମର ଜୟ

କାହିଁକି ସମାଜ ପ୍ରେମିକା ପ୍ରେମିକ

ଦୁହିଁଙ୍କୁ ଦେଖାଏ ଭୟ ।


ପ୍ରେମ ବିନା କିଏ ବଞ୍ଚିକି ପାରିଛି

ସମଗ୍ର ଜଗତ ମଧ୍ୟେ

ନିଜେ କଲେ ପ୍ରେମ ଅମୃତ ସଦୃଶ୍ୟ

ଅନ୍ୟ କଲେ କିମ୍ପା ବାଧେ ।


ରକ୍ତ ମାଂସଧାରୀ ମଣିଷଟିଏ ମୁଁ

କିବା ଅପରାଧ କଲି

ମାନବ ଧର୍ମେ ଭଲପାଉ ଅଛି

ତୁମେ ଭଲଲାଗ ବୋଲି ।


ତୁମକୁ କାହିଁକି ଭଲପାଏ ବୋଲି

ଦୁନିଆଁର ଚକ୍ଷୁଶୁଳ

ବାପା ମାଆ ଠାରୁ ବନ୍ଧୁବର୍ଗ ଯାଏ

ଖୋଲିଛନ୍ତି କରବାଳ ।


ନିଠୁର ଦୁନିଆଁ ସଜା ଦେଇଅଛି

ଘରେ ମୁଁ ନଜର ବନ୍ଦୀ

ପାଠ ପଢା ଠାରୁ ସ୍ୱାଧୀନତା ଯାଏ

ଛଡେଇଛି କରି ଫନ୍ଦି। 


ନିସଙ୍ଗ ଜୀବନ ନିରଳସ ମନ

ଝିନ ହେଲି ଝୁରି ଝୁରି,

ଗବାକ୍ଷ ଏପଟେ ଗୁମୁରି କାନ୍ଦୁଛି

ପଞ୍ଜୁରୀର ପକ୍ଷୀ ପରି।


ଝରକାର ଆରପାଖେ ଯେବେ ଦେଖେ

ବିରହି ବିଧୁର ତୁମେ

ହୃଦୟ ସ୍ପନ୍ଦନ ବଢ଼େ ବନ୍ଦିନୀର

ବଞ୍ଚିବାର ଆଶା କମେ।


ମିଳନ ପୂର୍ବରୁ ଯଦି ଯାଏ ସରି

ରହିଥିବ ଦୁଃଖେ ସୁଖେ

ଭେଟିବି ତୁମକୁ ସୁମରଣା କଲେ

ଝରକାର ଆରପାଖେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy