ଝରକାର ଆର ପାଖେ
ଝରକାର ଆର ପାଖେ
ଝରକାର ଆରପାଖେ ନିରେଖୀ ମୁଁ ନିତିଦେଖେ
ସଞ୍ଜ ହେଲେ ଚାରିଆଡେ ଘନ ଅନ୍ଧାର
ପୂରୁବେ ଉଇଁଣ ଶଶୀ ଜୋଛନା ଦିଏ ବରଷି
ତନ୍ଦ୍ରାଳସୀ ବିଭାବରୀ ଦିଶେ ସୁନ୍ଦର
ଦିଗଙ୍ଗନା ହସ ମୁଖର
ନିରବ ନିଶ୍ଚଳ ରୂପ ସାରା ବିଶ୍ବର |
ଗ୍ରହ ଚନ୍ଦ୍ର କୋଟିତାରା ବରଷନ୍ତି ଜ୍ୟୋତିଧାରା
ଜଳ ସ୍ଥଳ ବନ ଗିରି ପାରଦ ଧୌତ
ନିଶାଗମେ ନିଦ୍ରାକୋଳେ ଆନନ୍ଦେ ଜୀବ ସକଳେ
ଲଭନ୍ତି ବିଶ୍ରାମ ହୋଇ ନିଦରେ ମତ୍ତ
ରାତ୍ରୀର ଶୀତଳ ସମୀର
ଦୂରୁ ବୋହିଆଣେ ଝିଙ୍କାରୀର ଝଂଙ୍କାର |
ଝରକାର ଆର ପାଖେ ଘନ ଅନ୍ଧକାରେ ଦେଖେ
ଶୋଇଛି ଧରଣୀ ରାଣୀ ନିଶ୍ଚଳ ହୋଇ
ଶୁଭେ ମୋ କାନକୁ ପୁଣି ଭିଜା ବସନେ ଧରଣୀ
ନିରବରେ ସତେ କି ସେ ରହିଛି ଶୋଇ
ନିଶାଚର ମାନଙ୍କ ଗତି
ବେଶି ବେଶି ବଢେ ଯେତେ ବଢଇ ରାତି |
ଜହ୍ନ ହସେ ଖିଲି ଖିଲି ତାରା ଖେଳେ ଲୁଚକାଳି
ଝରକା ସେପାଖେ ନୀଳ ଗଗନ ଦେଶେ
ମୋ କାନରେ ଗୁଞ୍ଜରିତ ପ୍ରିୟା ପାଦପାଉଁଜିର
ରୁଣୁ ଝୁଣୁ ଶବଦ ମୋ ମନ ହରଷେ
ତାର କଥା ଆସଇ ମନେ
ତାର କଥା ଭାବେ ଚାହିଁ ଦୂର ଗଗନେ |