ଝରକା ପାଖର ବର୍ଷା
ଝରକା ପାଖର ବର୍ଷା


ଆଜି ପୁଣି ବର୍ଷୁଛି ପାଣି
ଝରକା ଏ ପାଖେ ବି
ଝରକା ସେ ପାଖେ ବି ,
ଝରକାର ଏ ପାଖରେ
କିଛି ଲୁହର ବନ୍ୟା
ଝରକାର ସେ ପାଖରେ
କିଛି ବର୍ଷାର ବେଦନା ,
ଗୋଟେ ପଟେ
ନୀରବତାର ମୃଦୁ ଗର୍ଜନ ,
ଆଉ ଗୋଟେ ପଟେ
ଚଞ୍ଚଳା ଚପଳା ସହ ଖେଳୁଥିବା
ଘଡ଼ଘଡ଼ିର ତାଣ୍ଡବ ,
ଝରକାର ଏପାଖରେ
ଆଖିରେ ପାଣି
ଝରକାର ସେପାଖରେ
ବର୍ଷାର ପାଣି ,
ରାତି ବଢିବା ସହ
ବଢୁଥାଏ ବର୍ଷାର ତୀବ୍ରତା
ବଢେ ମୋ ମନ ଭିତରର ଶୂନ୍ୟତା
ଖାଲି ଖାଲି ଘରେ
ଝରକା ପାଖ ଯାଗାଟା
କାହିଁକି କେଜାଣି ନିଜର ଲାଗେ ,
ଝରକାର ସୀମା ଶେଷେ
ଆରମ୍ଭ ହୁଏ ଦୂର ଆକାଶର ସୀମା ,
ଏ ଆକାଶ ଟା
ବୁଝିପାରେ ବୋଧହୁଏ
ମୋ ମନ ଯେତେ ସବୁ
ଅକୁହା ଯନ୍ତ୍ରଣା ,
ସେଥିପାଇଁ ମୋ ସହ ତାଳ ଦେଇ
ସେ ବି ଲୁହ ଝରାଏ ,
ବର୍ଷାର ପ୍ରତିଟି ବୁନ୍ଦା
ମୋତେ ଛୁଇଁ ଦେଇ,
ମୋ ଶୂନ୍ୟତାକୁ ପୂର୍ଣ୍ଣ କରେ
ଅନ୍ତରଙ୍ଗ ନିବିଡ଼ତାରେ ,
ଝରକା ବାଟେ ଆସି
ଚୁପ୍ ଚାପ୍ ସାନ୍ତ୍ବନା ଦିଏ ମୋତେ
କାନେ କହିଦେଇ ଯାଏ,
କେବଳ ଗୋଟେ କଥା
ବଦଳିଯିବ ଏ ସମୟ ,
ଜୀବନରେ ପୁଣି ବହିବ ମଳୟ ,
ଆନମନା ଶ୍ରାବଣୀର
କୋପ ବନ୍ୟା କ'ଣ କେବେ !
ରୋକି ପାରିଛି କି
ଶୁଭ୍ର ଶରତର ଆଗମନକୁ !!!
ଆକାଶ ତ ଦିନେ ନିର୍ମଳ ହେବ
ଅପସରି ଯିବ ଘନ ବାଦଲର
କଳଙ୍କ ସାମ୍ରାଜ୍ୟ ,
ପୁଣି ବିଜେ କରିବ ଶାରଦୀୟ ଶୁଭ୍ରତା,
ପ୍ରତୀକ୍ଷା ତ କେବଳ ସମୟର ;
ଏ ପ୍ରତୀକ୍ଷା ଅଛି ଆଜି
କିଛି ଝରକାର ଏ ପାଖରେ
ଆଉ କିଛି
ଝରକାର ସେପାଖରେ ,
କିଛି ମୋ ହୃଦୟର ଲୁହରେ
ଆଉ କିଛି
ବର୍ଷାର ଅଦେଖା କୋହରେ ।