ଝରେ ଖାଲି ରକ୍ତର ଅନଳ
ଝରେ ଖାଲି ରକ୍ତର ଅନଳ
ସାଗର ବି ଅର୍ଦ୍ଧସିକ୍ତ
ବେଳା ତା'ର ଶୁଷ୍କ , ପରିତ୍ୟକ୍ତ !
ଦିଗ୍ବଳୟ ନିର୍ବିକାର
ସତେ କି ସେ ପ୍ରାୟ ଅର୍ଦ୍ଧମୃତ !!
ଆକାଶଟା ହା-ହୁତାଶ
ବୁକୁଫଟା ଚିତ୍କାର ଛାଡ଼ୁଛି !
ମେଘ ଦେହେ ପିଟି ହୋଇ
ତା' ଚିତ୍କାର ସ୍ଥାଣୁ ପାଲଟିଛି !!
ମେଘମାଳା ହରାଇଛି
ତା' ନିଜସ୍ୱ ସମ୍ଭ୍ରାନ୍ତ ସୌନ୍ଦର୍ଯ୍ୟ !
ସତେ କି ସେ ହଜାଇଛି
ଅନ୍ଧକାରେ ନିଜ ଶୌର୍ଯ୍ୟବୀର୍ଯ୍ୟ !!
ଝରଣାର କୁଳୁକୁଳୁ
ନିନାଦ ବି ଲୁଚି ଯାଇଅଛି !
କମନୀୟ କାନ୍ତି ତା'ର
ଆତଙ୍କିତ , ବେପଥୁ ଦିଶୁଛି !!
ପର୍ବତର ସବୁଜିମା
ଧୋଇଯାଇ ହୋଇଛି ଧୂସର !
ପଥର ଆଜି ଢାଳୁଛି
ନୟନରୁ ଲୁହ ଧାର ଧାର !!
ଲୁହ ନୁହେଁ ,ଲୁହ ରଙ୍ଗେ
ଝରେ ଖାଲି ରକ୍ତର ଅନଳ !
ଧନ୍ୟ ତୁ ଧନ୍ୟ ନିୟତି
ସତେ କି ତୁ ଏଡିକି ନିଷ୍ଠୁର !!
ସମସ୍ତେ କୁହନ୍ତି ତୋତେ
ତୁ ତ ସର୍ବଶକ୍ତିର ଆଧାର !
ଦେଇ ପାରୁ , ନେଇ ପାରୁ
ତୋ' ଇଚ୍ଛାରେ ସମଗ୍ର ସଂସାର !!
କହି କି ପାରିବୁ ମୋତେ
ଶାସ୍ତ୍ରେ ତୋର କି ନୀତି ରଚିଛୁ !
ବାଲ୍ୟ ଚପଳତା ସାଥେ
କ୍ରୂର ଖେଳ ଖେଳି ଚାଲିଅଛୁ !!
ଲଜ୍ଜା ନାହିଁ , ନାହିଁ ତିଳେ
ସଂକୋଚ ବା ବିଧି-ବଦାନ୍ୟତା !
କେଉଁ ଗୁଣ ରଖିଛୁ ତୁ
ବୋଲାଇବି ତୋତେ ମୁଁ ବିଧାତା ??
ନେବାକୁ ତୋ' ଇଚ୍ଛା ଥିଲେ
ମୋତେ ବରଂ ନେଇ ତୁ ଯାଆନ୍ତୁ !
ଅଗଣିତ ଗଣହତ୍ୟା
କରିବାରୁ ନିବୃତ୍ତ ରୁହନ୍ତୁ !!
ଚାରିଆଡେ କୁଢ଼ କୁଢ଼ ,
ମାଳ ମାଳ ମଣିଷ ମୁର୍ଦାର !
ମୁର୍ଦାର ବି କାନ୍ଦୁଅଛି
ମର୍ମେ ତା'ର ବିକଟ ଚିତ୍କାର !!
କରୋନା ବାହାନା ନେଇ
ଆସିଛୁ ତୁ ହୋଇ ସର୍ବଗ୍ରାସୀ !
ସଂହାର କରିବା ଦର୍ପେ
ହୋଇଛୁ ତୁ ସଂହାର-ପ୍ରୟାସୀ !!
ଧିକ୍ ତୋର ଅହଙ୍କାର
ଖେଳୁଛୁ ତୁ ଅପ୍ରାପ୍ତଙ୍କ ସଙ୍ଗେ !
ରକ୍ଷକ ନାମେ ଭକ୍ଷକ
ସାଜିଛୁ ତୁ ମହାମାରୀ-ରଙ୍ଗେ !!
ବିଚାର ମଞ୍ଚରେ ଥାଇ
ରଙ୍ଗମଞ୍ଚେ ଲେପୁଛୁ କଳଙ୍କ !
କିପାଇଁ ତୁ ହେବୁ ନାହିଁ
ଅଭିଶପ୍ତ ,ନୋହି ନିଷ୍କଳଙ୍କ ??
ମୁଁ ବି ଜଘନ୍ୟ ବର୍ବର
ସ୍ୱାର୍ଥେ କରେ ବିଧିକୁ ବିବଶ !
ପ୍ରକୃତି କୋଳରେ ଜନ୍ମି
ପ୍ରକୃତିର କରେ ସର୍ବନାଶ !!
ଇପ୍ସିତ ପ୍ରକୃତି ପାଇଁ
ଅନ୍ତର୍ଘାତୀ କାର୍ଯ୍ୟ କରିଚାଲେ !
ପ୍ରକୃତିର ବକ୍ଷ ଚିରି
ନିଜ ପାଇଁ ମନ୍ଦିର ମୁଁ ତୋଳେ !!
ହେ ମଣିଷ ! ହେଜ ଥରେ
ପ୍ରକୃତିର କରୁଣ କ୍ରନ୍ଦନ !
ଅଙ୍ଗକୁ ତ ଦଂଶିଚାଲୁ
କରନାହିଁ ତା' ଆତ୍ମା ଦହନ !!
ପ୍ରକୃତି ପ୍ରଥମ ମାତା
କର ତା'ର ଆତ୍ମାନୁଶୀଳନ !
ତାହାରି ସର୍ବ ସୁରକ୍ଷା
ତୋ' ଜୀବନେ ହେଉ ମୁଖ୍ୟ ପଣ !!
