ଝରାପତ୍ରର ଇତିବୃତ୍ତି
ଝରାପତ୍ରର ଇତିବୃତ୍ତି
ବୃନ୍ତଚ୍ୟୁତ ପତ୍ରଟିଏ ପରି,
ଉଡ଼ିଯାଏ ପବନରେ,
ହଲିଝୁଲି ଭାସୁଥାଏ, କେବେ ଏପାଖ,
କେବେ ସେପାଖ, ଜାଣେନା ମୁଁ ,
ପଡିବି କେଉଁଠି, କଣ୍ଟାବଣ,
ଅବା ଗହୀର ଖାଇରେ
ପାଶୋରିଛି ଅତୀତକୁ ଆଜି,
ହରାଇଛି ସବୁଜିମା,
ଜୀବନଟା ଲାଗେ ଆଜି,
ସବୁ ଶୁଷ୍କ, ଏ ପତ୍ରଝଡା ଋତୁରେ,
ଭୁଷୁଡିଛି ସ୍ୱପ୍ନର ପ୍ରାସାଦ,
ମନ ବଗିଚା ମୋ ହୋଇଛି ଅରମା
ଯନ୍ତ୍ରଣାର ଶେଷ କେଉଁଠାରେ,
ତୁମେ କି ପାରିବ କହି
ତୁମରି ତ ଦାନ ଇୟେ, ମୋ ପ୍ରଶ୍ନର ଉତ୍ତର,
ଅଛି ତୁମ ପାଶେ ? ତୁମେ କି ଉତ୍ତର ଦେବ ଜାଣେ,
କହିବ , ତୁମେ କିଏ ମୁଁ ଚିହ୍ନି ନାହିଁ
ପତ୍ର ଥରେ ଝଡ଼ିଗଲା ପରେ,
ଡ଼ାଳ ତାକୁ ଚିହ୍ନେ ନାହିଁ,
ନୂତନ ପତ୍ରକୁ ଆପଣାର କରେ,
ତୁମେ ବି ତ କରିଅଛ, ଆଉ ମତେ
ଚିହ୍ନିବ କିପରି, ଖସିଛି ପରା ମୁଁ,
ଝରା ପତ୍ରଟିଏ ହୋଇ
ହରାଇଛି ଅସ୍ତିତ୍ଵକୁ ମୋର,
ରହି ପତ୍ର ଗଦା ତଳେ,
ଅପେକ୍ଷା କରିଛି ମୁହିଁ,
କେଉଁ ଏକ ଅଜଣା ହାତକୁ,
ତୋଳିନେବ ଅତି ଆଗ୍ରହରେ,
କରିବ ଜାଳେଣି ରନ୍ଧନର ବେଳେ
