ଝରା ଶେଫାଳୀ
ଝରା ଶେଫାଳୀ
ନିଶିର ରୂପସୀ ଚାରୁଚନ୍ଦ୍ର ହାସୀ
ପ୍ରୀତିମୟୀ ତୁ ଶେଫାଳୀ
ରୂପର ମାଦକ ସୁରଭି ମହକ
ମନ ମଧ୍ଯେ ଦେଉ ଢାଳି ।
ସୁନ୍ଦର ସ୍ବରୂପ ସୁବାସ ମହକ
ଲଳିତ ଲାବନ୍ଯ ରୂପ
ତୋ,ସୁନ୍ଦରରୂପ ଦେଖିଅପଲୋକେ
ଫୁଲ ରାଣୀ ବୁଜେ ମୁଖ ।
ନାରଙ୍ଗୀ ଲୋହିତ ରଙ୍ଗ ମିଶ୍ରିତ
ଅପରୂପା ଲାଜବତୀ
ତୋର ଦରଶନେ ଋଷି ମନହରେ
ଆତ୍ମା ଲାଭ କରେ ମୁକ୍ତି ।
ମହମହ ବାସ୍ନା ମନେଭରେ ତୃଷ୍ଣା
ରାତ୍ରି କାଟୁ ଉଜାଗରେ
ପ୍ରଭାତ ପରଶେ ଚାହୁଁତୁ,ଉଦାଶେ
ଶୋଭିବୁ ପ୍ରିୟାର ଶିରେ ।
କାହାର ବାସର ଶଯ୍ଯାସାଥି ତୁହି
ସଜାଉ ମଧୁଯାମିନୀ
ତୋ, ପରଶପାଇ ପ୍ରିୟା ହୁଏ ଖୁସି
ବିତାଏ ସୁଖେ ରଜନୀ ।
କିଏସେ,ସଜାଏ ପ୍ରେମରେ ମଜାଏ
ପ୍ରିୟାର କବରୀ ପରେ
ଆଉ କିଏ ଚାହେଁ ଠାକୁରଙ୍କୁ ଦିଏ
ଭକ୍ତି ର ନୈବେଦ୍ଯ ଭରେ ।
ଝରାଫୁଲ ବୋଲି ଆଦର କମେନି
ସବୁଠାରେ ତୋର ବାସ
ପ୍ରେମିକାଙ୍କ ଠାରୁ ଠାକୁର ପର୍ଯ୍ଯନ୍ତ
ତୋହର ସୁଧା ପରଶ ।
ରାତ୍ରୀର ଶେଷେ ଉଷାର ସ୍ପର୍ଶେ
ଭୂମିରେ ଲୋଟୁ ଶେଫାଳୀ
କେଉଁଦେବତାଙ୍କ ନିଷ୍ଠୁର ନିର୍ଦ୍ଦେଶେ
ବୃନ୍ତରୁ ଯାଉତୁ ଟଳି ।
କାହିଁକି ଏପରି ନିଷ୍ଠୁର ନିୟମ
ତୋ,ଜୀବନେ ହେଲାବନ୍ଧା
ନିଶିରେ ଫୁଟିଲୁ ଉଷାରେ ଲୋଟିଲୁ
ଦେଖିନାହୁଁ କେବେ ସଂନ୍ଧ୍ଯା।
ତଥାପି ଶେଫାଳୀ ମହାଭାଗ୍ଯଶାଳୀ
ଅଟୁତୁ,ଏହି କ୍ଷିତିରେ
ଝରା ଶେଫାଳୀର ଭାଗ୍ଯପାଇ ପୁଣି
ଲାଗୁ ଦେବତାଙ୍କ ଶିରେ ।
