ଜହ୍ନ
ଜହ୍ନ


ଏଇ ଧରାରେ ଅନ୍ଧାର ସହ ଯୁଝିବାକୁ
କେଉଁ ଦିନୁ ହୁଏତ ତୁମର ଆଗମନ,
ହେଲେ କାହିଁ ,ମନେ ଏତେ ଆହ୍ଲାଦ ବାଣ୍ଟିବି
ଜଣା ତ ପଡନା ତମେ ଜମା ପୁରାତନ ,
ମରୁଭୂମିରେ ଝରଣା ପରି ଚିରଦିନ
ତମେ ବି ମନେ ହୁଏ ସୁଶୀତଳ ମଧୁର,
ମନପକ୍ଷୀ ଝୁରିହୁଏ ନୀତି ତମ ପାଇଁ
ସତେ ତମ ସୈାନ୍ଦର୍ଯ୍ୟର ନାହିଁ ପଟାନ୍ତର ,
କବିର କଳ୍ପନାରେ ତମେ ତା ପ୍ରିୟତମା
ତମ ବିନା ଅଧୁରା ତା ସମସ୍ତ କଳ୍ପନା,
ତମ କଥା ଝୁରି ଝୁରି ସେ ଯେମିତି ହୁଏ
ଆସକ୍ତି କି ଅନୁରକ୍ତି ବୁଝାବି ପଡେନା ,
ପ୍ରେମ ଚିଟାଉ ଧରି ହୁଏ ପାଗଳ ପରି
&nb
sp; ସଂଜ ନଇଁ ଗଲେ ଭାବନା ସବୁକୁ ଧରି ,
ବିଭୋର କଲାଭଳି ପୁଲକ ହୃଦୟରେ
ହଁ ଜହ୍ନ ,ତମ ସେ କୋମଳ ଆଲିଙ୍ଗନରେ ,
କଇଁସାଥେ ତମ ସେ ଚୋରାଚୋରା ପିରତୀ
ତମ ପ୍ରେମେ ଉଦ୍ଭାସିତ ସେ ପୂନେଇଁ ରାତି,
ପାସୋରି କି ହୁଏ କୁହ ବିଜନ ବେଳାରେ !
ଆପଣା ଭିତରେ ଖାଲି ପାହି ଯାଏ ରାତି ,
ବୁଝିବାକୁ ତମକୁ ଟିକେ ଏକାନ୍ତ ଲୋଡ଼ା
ଶିଳ୍ପୀର ଆଖିରେ ବି କେ ଅଛି ତମ ଛଡା
ଉତଫୁଲ୍ଲିତ ହୋଇ ତମରି ସେ ପ୍ରେମରେ
କେତେ କେତେ କାହାଣୀ ହୁଏ ହୃଦୟେ ଗଢା ।