ଜହ୍ନ
ଜହ୍ନ
ତୋଫା ତୋଫା ଜହ୍ନ ରାତି
ଆଣେ ସେ ଅଭୁଲା ସ୍ମୃତି
ମନ ହୃଦୟରେ ପ୍ରେମର ଜୁଆର
ଭରି ଦିଏ କେତେ ପ୍ରୀତି ।
ତୋଫା ତୋଫା ଜହ୍ନ ରାତି ।
ଆକାଶରେ ହସେ ଜହ୍ନ
ଫୁଲେଇ କଇଁର ମନ
ପ୍ରେମରେ ଭିଜିଣ ଲାଜେଇ ଯାଇଣ
ଜଳେ ତା ଦେଖେ ବଦନ ।
ଆରେ,ଝୁରୁ ଥାଏ ରାତି ଦିନ ।
ଆକାଶରେ ହସେ ଜହ୍ନ ।
ଜହ୍ନ ରାତି ଚାଲି ବାଟ
ଦେଖି ଯିବା ପାଇଁ ନାଟ
କେତେ ସ୍ମୃତି ଆଣେ କେତେ ଅନୁଭୂତି
ପ୍ରେମିକ ପ୍ରେମିକା ଭେଟ ।
ଆରେ ହ୍ୱନ୍ତି ଭଲ ଲଟପଟ ।
ଜହ୍ନ ରାତି ଚାଲି ବାଟ ।
କିଏବା ଭୁଲିବ ଭୁଲ
ଜହ୍ନ ରାତିର ସେ ଖେଳ
କେତେ ଲୁଚକାଳି କେତେ ବୋହୁ ଚୋରୀ
ଜଣା ପଡେ ନାହିଁ ବେଳ ।
ଆରେ ଆମ୍ବଲ କାନ୍ଧିଆ ଝୋଳ
କିଏ ବା ଭୁଲିବ ଭୁଲ ।
ମନ ଆକାଶର ଜହ୍ନ
ଖୋଜୁଥାଏ ପ୍ରିୟ ମନ
ହୃଦୟ ଇଲାକେ ରଖେ ସେ ସାଇତି
ପ୍ରିୟା ପାଇଁ ତାର ମନ ।
ଆରେ,ସେ ଅଟେ ତା ଜୀବନ ।
ତା ମନ ଆକାଶ ଜହ୍ନ ।
ଜହ୍ନ ଆଲୁଅର ଚିଠି
କେତେ ସ୍ମୁତି କେତେ ପ୍ରୀତି
ଲେଖୁଥାଏ କିଏ ପଢୁଥାଏ ପୁଣି
ରାତି ଅଧଟାରେ ଉଠି ।
ଏତ , ଚୋରା ଚଇତିର ଗୀତି
ଜହ୍ନ ଆଲୁଅର ଚିଠି ।
ସବୁରି ମାମୁଁ ତ ଜହ୍ନ
ତନୁ ତାର ହୁଏ କ୍ଷୀଣ
ଶିବଙ୍କ ଜଟାରେ ଶୋଭା ପାଉଥାଏ
ବଢିଥାଏ ଦିନୁ ଦିନ ।
ଇଏ ଭୁଲାଏ ପିଲାଙ୍କ ମନ ।
ସବୁରି ମାମୁଁ ତ ଜହ୍ନ ।
ଗୋପ ବୃନ୍ଦାବନ ଜହ୍ନ
ଗୋପୀଙ୍କ ମନ ଉଛନ୍ନ
ବଇଁଶୀ ବଜେଇ ଦେଲେ କଳାକାହ୍ନୁ
ମାନନ୍ତିନି ରାତି ଦିନ।
ଆରେ,ଯମୁନା କୂଳେ ଗମନ ।
ସିଏ ତ ଗୋପ ବୃନ୍ଦାବନ ଜହ୍ନ ।
ନୀଳାଚଳର ସେ ଜହ୍ନ
କିଣି ନିଏ ସବୁ ମନ
ତା ପ୍ରେମେ ପାଗଳ ହୁଅନ୍ତି ସକଳ
ଭଜୁ ଥାନ୍ତି ରାତି ଦିନ ।
ଆରେ,ସିଏ ଭକତ ଜୀବନ
ନୀଳାଚଳର ସେ ଜହ୍ନ ।